ଜାତୀୟ ଫିଲ୍ମ ପୁରସ୍କାରରେ ‘ହ୍ୟାଲୋ ଆର୍ସି’ର ହଲ୍ଲାବୋଲ! ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

47

କନକ ବ୍ୟୁରୋ : ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ମମ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶ୍ରୀଦେବୀଙ୍କ ନାଁ ଘୋଷଣା କରାଯାଇଛି । ହିନ୍ଦୀ ଭାଷାରେ ଶ୍ରେଷ୍ଠ ଫିଲ୍ମପାଇଁ ନିଉଟନ୍ ପୁରସ୍କୃତ ହେବ । ଶ୍ରେଷ୍ଠ ଲୋକପ୍ରିୟ, ଆକ୍ସନଧର୍ମୀ ଫିଲ୍ମ ଓ ସ୍ପେଶାଲ ଇଫେକ୍ଟ ପାଇଁ ବାହୁବଳୀ ଦା କନକ୍ଲୁଜନ୍ ପୁରସ୍କାର ପାଇବ । ବିନୋଦ ଖନ୍ନାଙ୍କୁ ମରଣୋତର ଭାବେ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ଦିଆଯିବ । ସେହିପରି ଏ.ଆର.ରେହମାନଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ପୁରସ୍କାର ଦିଆଯିବ । ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ୟେସୁଦାସ ପୁରସ୍କୃତ ହେବେ । ଫିଚର ଫିଲ୍ମ ବିଭାଗରେ ଅହମିୟା ଚଳଚ୍ଚିତ୍ର ଭିଲେଜ୍ ରକଷ୍ଟାରକୁ ମିଳିବ ପୁରସ୍କାର । ଅନ୍ୟପଟେ ଏହି ଦୌଡ଼ରେ ଆଜି ବାଜିମାତ୍ କରିଛି ଓଡ଼ିଆ ଫିଲ୍ମ ହେଲୋ ଆର୍ସି । ୩ଟି ବିଭାଗରେ ଏହାକୁ ମିଳିବ ପୁରସ୍କାର ।

ଓଡ଼ିଆ ଫିଲ୍ମରୁ ଦର୍ଶକ ଦୁରେଇଯାଉଥିବା ବେଳେ ଏ ଦିଗରେ ଆଶାସଂଚାର କରିଛି ହେଲୋ ଆର୍ସି । ଜାତୀୟ ପୁରସ୍କାର ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ବିଭାଗରେ ଏହି ଫିଲ୍ମର ନାଁ ଘୋଷଣା କରାଯାଇଛି । ଚେଷ୍ଟା କଲେ ମଧ୍ୟ ଏଭଳି ଉଚ୍ଚକୋଟ୍ଟୀର ସିନେମା ପ୍ରସ୍ତୁତ କରିପାରିନଥାନ୍ତେ ବୋଲି ଜୁରୀ ମୁଖ୍ୟ ଶେଖର କପୁର ମତ ଦେଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ହେଲୋ ଆର୍ସିରେ ରହିଛି ଏକ ପରୀକ୍ଷାଧର୍ମୀ କଥାବସ୍ତୁ । କାର୍ ଯାତ୍ରାରୁ କାହାଣୀର ଆରମ୍ଭ ହୋଇ ସେହି କାର ଯାତ୍ରାରେ ହିଁ ଫିଲ୍ମର ପରିସମାପ୍ତି ଘଟୁଛି । ଏକ ଶୁଆ ମିଟୁ ବଦଳରେ ହେଲୋ ଆର୍ସି ସମ୍ବୋଧନ କରିବା ପରେ ଜଣେ ଯୁବତୀର କିଭଳି ନାଁ ବଦଳି ଯାଉଛି ତାହା ଅତି ସୁନ୍ଦରଭାବେ ପରିବେଷିତ ହୋଇଛି ଫିଲ୍ମରେ । ହେଲୋ ଆର୍ସିର ଦୁଇ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ପରିଚିତ କଳାକାର ପ୍ରକୃତି ମିଶ୍ର ଓ ପାର୍ଥସାରଥୀ ।

ହେଲୋ ଆର୍ସିକୁ ତିନୋଟି ବିଭାଗରେ ପୁରସ୍କାର ପାଇଁ ଯୋଗ୍ୟ ଘୋଷଣା କରାଯାଇଛି । ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ଓ ସ୍ପେଶାଲ୍ ମେନସନ୍ ପୁରସ୍କାର ସହ ସଂଳାପ ପାଇଁ ନିର୍ଦ୍ଦେଶକ ତଥା ସଂଳାପକାର ସମ୍ବିତ ମହାନ୍ତିଙ୍କ ନାଁ ମରଣୋତର ଭାବେ ଘୋଷଣା କରାଯାଇଛି ।୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜିମାତ୍ କରିଛି ହେଲୋ ଆର୍ସି ଚଳଚ୍ଚିତ୍ର । କାହାଣୀରେ ପରୀକ୍ଷା ନିରୀକ୍ଷା, ଉପଯୋଗୀ ନିଦ୍ଦେର୍ଶନା ଯୋଗୁ ବ୍ୟାବସାୟିକ ସିନେମାଗୁଡ଼ିକୁ ମଧ୍ୟ ପଛରେ ପକାଇଛି ହେଲୋ ଆର୍ସି ।

ଆସନ୍ତା ମେ ୩ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ । ଏହି ଅବସରରେ ହେଲୋ ଆର୍ସି ବି ପାଇବ ବେଷ୍ଟ ଓଡ଼ିଆ ଫିଚର୍ ଫିଲ୍ମ ଆୱାର୍ଡ ।