ଚିଲିକା ଉପରେ ଉଡିଥିବା ଧଳା ହେଲିକପ୍ଟର କାହାର ? ମେରାଇନ ଥାନାରେ ଏତଲା ଦାୟର, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

62

କନକ ବ୍ୟୁରୋ : ଚିଲିକା ଉପରେ ଉଡିଥିଲା ହେଲିକପ୍ଟର । ବେଆଇନ ଭାବେ ବିପଦଜନକ ଉଚ୍ଚତାରେ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନକୁ ବିପଦରେ ପକାଇ ହେଲିକପ୍ଟର ଉଡାଇବା ନେଇ ମେରାଇନ ଥାନାରେ ଅଭିଯୋଗ କରିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏସିଏଫ ବିନୋଦ ଆଚାର୍ଯ୍ୟ । ଆଜି ଥାନାରେ ମାମଲା ଦାୟର ପରେ ଘଟଣାକୁ ନେଇ ଚର୍ଚ୍ଚା ବଢିଛି ।

ଏତଲାରେ କୁହାଯାଇଛି, ଗତ ୧୫ ତାରିଖ ଦିନ ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ଧଳା ରଙ୍ଗର ଏକ ହେଲିକପଟର ଚିଲିକା ଉପରେ ଉଡିଥିଲା । ଏପରିକି ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡ କରିବାକୁ ହେଲିକପଟରର ପାଇଲଟ ଚେଷ୍ଟାକରିଥିଲେ । ତେବେ ଧଳା ହେଲିକପଟରଟି କାହାର, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ନୋ ଫ୍ଲାଇଙ୍ଗ ଇକୋ ସେନସିଟିଭ୍ ଜୋନରେ ହେଲିକପଟର ଉଡିବା ପରେ ଆପତ୍ତି ଉଠାଇଛି ସିଡିଏ । ନାଭିଗେସନ ରୁଟକୁ ନଷ୍ଟ କରି ଚିଲିକାର ଖୁବ କମ ଉଚ୍ଚତାରେ ହେଲିକପଟର ଉଡିବା ପରେ ବିବାଦ ଦେଖାଦେଇଛି । ଏଭଳି କାର୍ଯ୍ୟକଳାପ ଲୋକଙ୍କ ଜୀବନ ଖାସକରି ପର୍ଯ୍ୟଟକ ଓ ଡଲଫିନଙ୍କ ପାଇଁ ବିପଦ ନେଇ ଆସିଥିଲା ବୋଲି ଏତଲାରେ କୁହାଯାଇଛି ।

ବେଆଇନ ଭାବେ ପାଇଲଟ ଜଣକ ହେଲିକପଟରକୁ ଚିଲିକାର ଇକୋ ସେନସିଟିଭ ଜୋନ ଉପରେ ଉଡାଇଥିଲେ, ତେଣୁ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ କୁହାଯାଇଛି । ତେବେ ପ୍ରଶ୍ନ ଉଠୁଛି, କିଏ ଏହି ହେଲିକପଟରକୁ ଉଡାଉଥିଲେ ଏବଂ ଅନୁମତି ମିଳିଥିବା ରୁଟ୍ ବାହାରକୁ ଯାଇ ବେଆଇନ ଭାବେ ଚିଲିକା ଉପରେ ହେଲିକପଟର ଉଡାଇବାକୁ କିଏ ଉଦ୍ୟମ କରିଥିଲେ, ତାକୁ ନେଇ ତନାଘନା ଆରମ୍ଭ କରାଯାଇଛି । ଡିଜିସିଏର ରିପୋର୍ଟ ପରେ ସ୍ପଷ୍ଟ ହୋଇପାରିବ, କିଏ ଏହି ଅଂଚଳରେ ହେଲିକପଟର ଉଡାଇବା ପାଇଁ ଅନୁମତି ପାଇଥିଲେ ଏବଂ କାହିଁକି ନିର୍ଦ୍ଧାରିତ ଉଚ୍ଚତା ଠାରୁ କମ ଉଚ୍ଚତାରେ ହେଲିକପଟର ଉଡାଇ ନିୟମକୁ ଉଲ୍ଲଂଘନ କରିଥିଲେ । ଏନେଇ ବିଶଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।