ପାଟକୁରା ପାଇଁ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି: ଶେଷ ପର୍ଯ୍ୟାୟରେ ଜମିବ ହେଭିୱେଟ୍ ପ୍ରଚାର, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’, ୧୪ରେ ଯିବେ ଧର୍ମେନ୍ଦ୍ର

151

କନକ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ତିନି ପ୍ରମୁଖ ଦଳ କର ବା ମର ସ୍ଥିତିରେ ସେଠି ନିର୍ବାଚନ ଲଢ଼ୁଛନ୍ତି। ଏବେ ଦଳର ଛାମୁଆ ନେତାମାନେ ସଂଗଠନ ସଜାଡୁଛନ୍ତି। ସୂଚନା ମୁତାବକ, କୌଣସି ଦଳ ପାଇଁ ବି ସ୍ଥିତି ଅତ୍ୟନ୍ତ ସହଜ ନଥିବାରୁ ଏବେ ହେଭିୱେଟମାନେ ଯାଇ ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯୋଜନା କରିଛନ୍ତି। ଶେଷ ମୁହୂର୍ତ୍ତରେ ନିଜ ସପକ୍ଷରେ ଭୋଟ ଆଣିବା ଲାଗି ଏମାନେ ସ୍ବତନ୍ତ୍ର ରଣକୌଶଳ ପ୍ରୟୋଗ କରିବେ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ବିଜେପିକୁ କୌଣସି ସୁଯୋଗ ଛାଡ଼ିବାକୁ ଚାହୁଁ ନାହାନ୍ତି। ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାଙ୍କୁ ପଞ୍ଚାୟତ ଜଗାଇଲା ପରେ ନିଜେ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି। ଆସନ୍ତା ୧୭ ତାରିଖରେ ସେ ପାଟକୁରା ଯିବେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି। ମନ୍ତ୍ରୀ ସୁଶାନ୍ତ ସିଂହ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପାଟକୁରାର ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ରୋଡ୍ ସୋ’ କରିବେ। ନିର୍ବାଚନ ସମୟରେ ଯେଉଁ ସ୍ବତନ୍ତ୍ର ବସ୍ ଯୋଗେ ମୁଖ୍ୟମନ୍ତ୍ରୀ ସମଗ୍ର ଓଡ଼ିଶା ବୁଲି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେହି ବସରେ ସେ ପାଟକୁରା ବୁଲିବା ପାଇଁ ଯୋଜନା ଚାଲିଛି। ଏପରିକି ସେ ୧୭ ତାରିଖରେ ରାତ୍ରିଯାପନ କରି ୧୮ରେ ମଧ୍ୟ ପ୍ରଚାର କରିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ବିଜେପି ବି ପ୍ରଚାରରେ ପଛରେ ପଡ଼ିନାହିଁ। ନିଜେ ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରଚାର ମଙ୍ଗ ଧରି ବିଜେଡିକୁ ଚ୍ୟାଲେଞ୍ଜ୍ ଦେଉଛନ୍ତି। ତାଙ୍କୁ ବଳ ଯୋଗାଇବାକୁ ଗତକାଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପାଟକୁରା ଯାଇ ପ୍ରଚାର କରିଛନ୍ତି। ଆସନ୍ତା ୧୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବେ ବୋଲି ସୂଚନା ମିଳିଛି। ସେ ଦୁଇଦିନ ଧରି ବିଜୟଙ୍କ ପାଇଁ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ବିଜେଡି-ବିଜେପି ସିଧାସଳଖ ମୁକାବିଲା ହେଉଥିଲେ ବି ପ୍ରଚାର ଅଭିଯାନକୁ ଆଖିଦୃଶିଆ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଗତକାଲି କଂଗ୍ରେସ ଭବନରେ ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଉପସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ ଦଳକୁ ସମାଲୋଚନା କରିବା ସହ କହିଛନ୍ତି, ବାହୁଡ଼ା ପରେ କଂଗ୍ରେସ ପ୍ରଚାରକୁ ଜୋରଦାର୍ କରିବ। ପ୍ରଚାର ପାଇଁ ସମସ୍ତ ବିଧାୟକ ଓ ସାଂସଦକୁ ୨/୩ ଦିନ ପାଟକୁରାରେ ରହିବାକୁ କୁହାଯାଇଛି। କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ପ୍ରଚାରରେ ଆସିବାକୁ କୁହାଯାଇଛି। ପାଟକୁରାବାସୀଙ୍କୁ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା କରିବାକୁ ଅନୁରୋଧ କରିବା ସହ କଂଗ୍ରେସକୁ ଭୋଟ୍ ଦେବା ପାଇଁ କହିବୁ। ବିଜେଡି-ବିଜେପି ଏକ ହୋଇଥିବାରୁ କଂଗ୍ରେସ ହିଁ ଏକମାତ୍ର ବିରୋଧୀ, ଯିଏ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିପାରିବ। ଭୋଟରଙ୍କୁ ଏହି କଥା ବୁଝାଇବାକୁ ଚେଷ୍ଟା କରି ଭୋଟ୍ ମାଗିବୁ।