ନାମାଙ୍କନ ଦାଖଲର ଶେଷ ଦିନରେ ନାଁ ଭରିଲେ ବହୁ ହେଭିୱେଟ୍ ନେତା ! ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ସହ କଲେ ଶକ୍ତି ପ୍ରଦର୍ଶନ । 

146

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ନାଁ ଭରିଛନ୍ତି ଅନେକ ହେଭିୱେଟ୍ ନେତା । କେଉଁଠି ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରାରେ ପତିଆରା ପ୍ରଦର୍ଶନ କରିଛନ୍ତି ପ୍ରାର୍ଥୀ । ତ ପୁଣି କେଉଁଠି ଦଳବଳ ସହ ଆସି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏହିସବୁ ଆସନରେ ଆଗାମୀ ୨୩ ତାରିଖରେ ଭୋଟ୍ ପଡିବ ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଖୋର୍ଦ୍ଧା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଇଏଏସ ଚାକିରି ଛାଡି ବିଜେପିରେ ଯୋଗଦେବା ପରେ ତାଙ୍କୁ ସମ୍ମାନ ଜନକ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ସେପଟେ ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତାଙ୍କୁ କଡା ଟକ୍କର ଦେଉଛନ୍ତି ଆଉ ଜଣେ ପ୍ରଶାସକ ଅରୁପ ପଟ୍ଟନାୟକ । ଆଜି ସେ ମଧ୍ୟ ସମର୍ଥକଙ୍କ ସହ ଯାଇ ବିଜେଡି ଟିକେଟରେ ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସ ଏଠାରେ ପ୍ରାର୍ଥୀ ଦେଇନଥିବା ବେଳେ ବାମଦଳ ନେତା ଜନାର୍ଦ୍ଦନ ପତିଙ୍କୁ ସମର୍ଥନ କରୁଛି ।

ସେହିପରି ଖଣ୍ଡପଡା ବିଧାନସଭା ଆସନରୁ ନାମାଙ୍କନ କରିଛନ୍ତି ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ଫତେଗଡରୁ ବିରାଟ ଶୋଭାଯାତ୍ରାରେ ବାହାରି ନୟାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ସୌମ୍ୟରଞ୍ଜନ । ରାସ୍ତାରେ ଅନେକ ସମର୍ଥକ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମୋଟ୍ ୩ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସୌମ୍ୟରଞ୍ଜନଙ୍କ ପ୍ରଥମ ପ୍ରସ୍ତାବକ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ଦ୍ୱିତୀୟ ପ୍ରସ୍ତାବକ ରହିଛନ୍ତି ଗୟାଧର ପରିଡା ।

ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ଜେନା ଏବେ ବିଧାୟକ ପ୍ରାର୍ଥୀ । ମହାନଗର ରାଜନୀତିରୁ ବିଧାନସଭା ରାଜନୀତିକୁ ପ୍ରମୋସନ୍ ପାଇଥିବା ଏହି ବିଜେଡି ହେଭିୱେଟ୍ ଭୁବନେଶ୍ୱର ମଧ୍ୟ ଆସନରୁ ନାଁ ଭରିଛନ୍ତି । ଦଳବଳ ସହ ନାମାଙ୍କନ ପାଇଁ ପହଂଚି, ନିଜ ପ୍ରତିପକ୍ଷଙ୍କୁ ଶକ୍ତି ପ୍ରଦର୍ଶନ କରିଛନ୍ତି ଅନନ୍ତ । ସେହିପରି ବିଜେଡି ହେଭିୱେଟ୍ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ଏବେ ବେଗୁନିଆ-ବୋଲଗଡ ଆସନରେ ବିଜେପି ବିଧାୟକ ପ୍ରାର୍ଥୀ । ଆଜି ନାମାଙ୍କନ ଦାଖଲ ପରେ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି ରିଷଭ ।

ଦୁଇ ଦୁଇ ଥର ମାହାଙ୍ଗାରୁ ପ୍ରତିନିଧିତ୍ୱ କରିବା ପରେ ହାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ତେବେ ୨୦୦୦ରୁ ବିଜେଡି ଟିକେଟରେ ଜିତିଆସୁଥିବା ପ୍ରତାପ ପୁଣିଥରେ ମାହାଙ୍ଗା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନୟାଗଡ ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ବି ଭରିଛନ୍ତି ନାମାଙ୍କନ । ଗତ ନିର୍ବାଚନରେ ନୟାଗଡରୁ ଜିତି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିବା ଅରୁଣଙ୍କୁ ପୁଣି ମୈଦାନକୁ ଓହ୍ଲାଇଛି ବିଜେଡି ।

ସମ୍ବଲପୁରରେ ବିଜେଡିର ଚେହେରା ପୂର୍ବତନ ପ୍ରଶାସକ ନଳିନୀ ପ୍ରଧାନ । ପୂର୍ତ ସଚିବ ପଦରୁ ଇସ୍ତଫା ଦେଇ ପଲିଟିକାଲ ଇନିଂସ ଆରମ୍ଭ କରିଥିବା ନଳିନୀ ନିଜ ନାମାଙ୍କନ ଭରିବା ସହ ନିର୍ବାଚନୀ ଲଢେଇକୁ ଓହ୍ଲାଇଛନ୍ତି । ସେହିଭଳି ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସର ସାଂସଦ ପ୍ରାର୍ଥୀ ଶରତ ପଟ୍ଟନାୟକ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ସେପଟେ ସମ୍ବଲପୁର ବିଧାନସଭା ଆସନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀ ମଧ୍ୟ ଦାଖଲ କରିଛନ୍ତି ନାମାଙ୍କନ । ଉଭୟ ଏକ ବିରାଟ ରାଲିରେ ଆସି ପ୍ରତିପକ୍ଷଙ୍କୁ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗତଥର ବିଜେଡି ଟିକେଟରେ ସମ୍ବଲପୁରରୁ ଜିତିଥିବା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପୁଣି ମୌକା ଦେଇଛି ଦଳ । ରାସେଶ୍ୱରୀଙ୍କ ପ୍ରାର୍ଥୀପତ୍ର ଦାଖଲ ସହ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଦୁଇ ଡାକ୍ତରଙ୍କ ଭିତରେ ଲଢେଇ ହେବ ।