ପୁଣି ଫେରିଲା ଶୀତ ! କେତେକ ସ୍ଥାନରେ ତୁଷାରପାତ ଆଶଙ୍କା, ଓଡ଼ିଶା ପାଇଁ ଆଲର୍ଟ ଜାରି

259

କନକ ବ୍ୟୁରୋ : ଫେରିଲା ଶୀତ । ଗତକାଲି ଠାରୁ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାଣିକୁ ଛୁଇଁବା କଷ୍ଟକର ହୋଇପଡ଼ୁଛି । ଉତ୍ତରରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ଥରିବ। ଅସ୍ତବ୍ୟସ୍ତ କରିପକାଇବ ଥଣ୍ଡା । ସମୟରେ କେତେକ ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଆଲର୍ଟ ଜାରି କରାଯାଇଛି । ଥଣ୍ଡା ଉପରେ ରାଜ୍ୟ ସରକାର ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷରେ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଫେବ୍ରୁଆରି ୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉପକୂଳ ଓଡ଼ିଶାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ରାତିର ପାରଦ ବହୁ ପରିମାଣରେ ହ୍ରାସ ପାଇବ । ଦାରିଙ୍ଗବାଡ଼ି, କୋରାପୁଟ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲା ଯଥା-ନବରଙ୍ଗପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ସନ୍ଧ୍ୟା ୬ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଲାଗିରହିବ । ଜନଜୀବନ ପ୍ରଭାବିତ ହେବ । ରାତିର ହାରାହାରି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ । ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷରେ ଆଜି ସାରା ଓଡ଼ିଶାରେ ଶୀତ ପ୍ରବାହ ଲାଗି ରହିଛି । ୧୨ଟି ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ଖସି ଆସିଛି । ୨୫ଦିନ ବ୍ୟବଧାନରେ ଦାରିଙ୍ଗବାଡ଼ିର ତାପମାତ୍ରା ପୁଣିଥରେ ୪ ଡିଗ୍ରିକୁ ଖସିଛି । ଆଜି ଭୋର ସମୟରେ କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରି ରହିଥିବା ବେଳେ ଅନୁଗୁଳରେ ୬.୬, ସୋନପୁରରେ ୭.୬, କେନ୍ଦୁଝରରେ ୭.୪, ଝାରସୁଗୁଡ଼ାରେ ୭.୬, ସମ୍ବଲପୁରରେ ୭.୮ ଡିଗ୍ରି ରହିଥିଲା ।