ମାଘ ମାସ ଜାଡ଼ରେ ଥରୁଛି ସାରା ଓଡ଼ିଶା ! ପ୍ରବଳ ଥଣ୍ଡାରେ କାଲୁଆ ହୋଇଯାଉଛି ଶରୀର

118

କନକ ବ୍ୟୁରୋ : ଉତ୍ତରରୁ ଉପାନ୍ତ, ଅଥବା ପଶ୍ଚିମରୁ ଦକ୍ଷିଣ ଓଡ଼ିଶା । ଅସ୍ତବ୍ୟସ୍ତ କରିପକାଇଲାଣି ଥଣ୍ଡା । ମାଘ ମାସରେ ଜାଡ଼ ଅନୁଭୂତ ହେଉଛି । ଶରୀର କାଲୁଆ କରି ପକାଉଛି । ସନ୍ଧ୍ୟା ହେବା କ୍ଷଣି ଲୋକେ ଘରେ ପଶୁଛନ୍ତି ଯେ ସକାଳ ୯ଟା ନ ହେବା ଯାଏ ପଦାକୁ ବାହାରିପାରୁ ନାହାନ୍ତି ।

ଠାଏ ଠାଏ ତୁଷାରପାତ ବି ହେଉଛି । ଭୋର ସମୟରେ ନଡ଼ା‌ ଗଦା, ଆଜବେଷ୍ଟ, କାଠ ଉପରେ ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି । ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ସ୍ଥିତି ଅଧିକ ଜଟିଳ ହୋଇଛି । ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡାର ମାତ୍ରା କେତେବେଳେ କ’ଣ ରହିବ ତାହାର ବି ପୂର୍ବାନୁମାନ କରିବା ସମ୍ଭବପର ହେଉ ନାହିଁ । ଗତକାଲି ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା । ଆଉ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି ହୋଇଛି ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଫେବ୍ରୁଆରି ଆଜି ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେବ । ଏବେ ଉତ୍ତର ଓ ପଶ୍ଚିମ ଭାରତରେ ଯେଉଁଭଳି ଥଣ୍ଡା ଅନୁଭୂତ ହେଉଛି ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉପୁଜିବ । ସର୍ବନିମ୍ନ ତାପମାତ୍ରା ହାରାହାରିଠାରୁ ୩ରୁ ୫ ଡିଗ୍ରି ତଳେ ରହିବ ।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଶୁକ୍ରବାର ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରଚଣ୍ଡ ଥଣ୍ଡା ଲାଗିରହିବ ଓ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ଥଣ୍ଡା ହେବ । ଶନିବାର ପାଇଁ ୧୫ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ‌ହେବ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲା ପାଇଁ ସତର୍କସୂଚନା ଜାରି ହୋଇଛି । ଫେବ୍ରୁଆରି ୩ ପର୍ଯ୍ୟନ୍ତ ଦିନର ତାପମାତ୍ରା ସାମାନ୍ୟ ବଢ଼ିବ । କେତେକ ସ୍ଥାନରେ ପୁଣିଥରେ ୩୦ ଡିଗ୍ରି ଟପିବାର ସମ୍ଭାବନା ରହିଛି ।