ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି । ଆହୁରି ୨୪ ଘଣ୍ଟା ରହିବ ଜାଡ, ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଲୋକ

କୋରାପୁଟରୁ କଟକ, କନ୍ଧମାଳରୁ ଭୁବନେଶ୍ବର ସବୁଠି ପାରଦ ୧୦ ଡିଗ୍ରି ତଳେ

108

କନକ ବ୍ୟୁରୋ : କମୁନି ଜାଡ଼। କୋରାପୁଟରୁ କଟକ, କନ୍ଧମାଳରୁ ଭୁବନେଶ୍ବର ସବୁଠି ପାରଦ ୧୦ ଡିଗ୍ରି ତଳେ। ୫ ଦିନ ହେଲା ଥଣ୍ଡାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ। ଦୁଇ ଦିନ ହେଲା ଗୋଟିଏ କିମ୍ବା ଦୁଇ ଡିଗ୍ରି ଏପାଖ ସେପାଖ ରହୁଥିଲେ ମଧ୍ୟ ଥଣ୍ଡା କମିବାର ନା ଧରୁନି। କୋରାପୁଟରେ ପାରଦ ୬.୬ ଡିଗ୍ରିକୁ ଖସିଛି। ଦାରିଙ୍ଗବାଡ଼ିରେ ରାତିର ପାରଦ ଲଗାତାର ଭାବେ ୪ ଡିଗ୍ରି ଭିତରେ ରହୁଛି। ଭୁବନେଶ୍ବରରେ ଟିକିଏ ବଢ଼ିଥିଲେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଟପିପାରୁନି। ସବୁଠାରୁ ବଡ଼ କଥା ହେଉଛି ଯେ ମାଲକାନଗିରିର ତାପମାତ୍ରା ଇତି ମଧ୍ୟରେ ୧୦ ଡିଗ୍ରିକୁ ଖସିଛି।

 

ତେବେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ସ୍ଥିତି ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି। ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ପବନ ହେଉଥିବାରୁ ଥଣ୍ଡା ଲାଗି ରହିଛି। ଉତ୍ତର ଭାରତରେ ତୁଷାରପାତ ସହ ଥଣ୍ଡା ହେଉଛି। ତେଣୁ ଓଡ଼ିଶାରେ ସିଧାସଳଖ ତାହାର ପ୍ରଭାବ ପଡ଼ୁଛି। ୩ ତାରିଖଠାରୁ ସ୍ଥିତିରେ ଟିକିଏ ସୁଧାର ଆସିବ। କିନ୍ତୁ ବୁଧବାର ସମାନ ସ୍ଥିତି ଲାଗିରହିବ। ଏହାପରେ ପାଗରେ କିଛିଟା ପରିବର୍ତନ ହେବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ ସାମାନ୍ୟ ଉନ୍ନତି ଆସିବ। ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଉଠିବ।

 

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ୩ ତାରିଖଠାରୁ ତାପମାତ୍ରା ବଢ଼ିବ। ବୁଧବାର ପରେ ସାରା ରାଜ୍ୟରେ ରାତିର ତାପମାତ୍ରା ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ହେଲେ ୩ରୁ ୭ ତାରିଖ ପର୍ଯ୍ୟନ୍ତ ପାରଦ ପ୍ରାୟତଃ ଅପରିବର୍ତ୍ତିତ ରହିବ। ୭ ଓ ୮ ତାରିଖରେ ପଶ୍ଚିମ ଓଡ଼ିଶାରେ ଆଉ ଦେଢ଼ ଡିଗ୍ରି ବଢ଼ିବ। ୮ ଓ ୯ରେ ଉପକୂଳ ଓଡ଼ିଶାରେ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ମୋଟ ଉପରେ କହିବାକୁ ଗଲେ ସପ୍ତାହକ ପର୍ଯ୍ୟନ୍ତ ଥଣ୍ଡା ବଢ଼ିବାର ସମ୍ଭାବନା ନାହିଁ। ତେବେ ଗତ ୧୦ ଦିନ ହେବ ସାରା ରାଜ୍ୟରେ ପ୍ରବଳ ଥଣ୍ଡାରେ ଅନୁଭୂତ ହେଉଛି । ସାରା ରାଜ୍ୟର ଲୋକମାନେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇସାରିଲେଣି । ପାଣିପାଗ ବିଭାଗର ପୂର୍ବାନୁମାନ ଲୋକମାନଙ୍କୁ ଆଶ୍ୱସ୍ତି ଦେଇଥିବା ସୂଚନା ମିଳିଛି ।