ନେତା ଗର୍ଜିବେ ବିଜେପୁରରେ ! ବିଜେପିର କେନ୍ଦ୍ର ବ୍ରାଣ୍ଡକୁ ଟକ୍କର ଦେବ ବିଜେଡିର ନବୀନ ବ୍ରାଣ୍ଡ । ଭୋଟ ପାଇଁ ହେଭିୱେଟଙ୍କ ଡେରା

50

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ସରିଲା ନାମାଙ୍କନ । ଆଉ ଏହାପରେ ଆରମ୍ଭ ହେବ ହାଇଭୋଲଟେଜ ନିର୍ବାଚନୀ ପ୍ରଚାର । ପାଖାପାଖି ୨୦ ଦିନ ବିଜେପୁର ମାଟିରେ ଜିନ୍ଦାବାଦର ନାରା ଗୁଞ୍ଜରଣ ହେବ । ବିଜେପୁରରେ ମାଳ ମାଳ ନେତା ଓ ମନ୍ତ୍ରୀଙ୍କ ପାଦ ପଡିବ । ଭୋଟରଙ୍କୁ ଆକର୍ଷିତ କରିବା ସହ ଭୋଟ ହାତେଇବା ପାଇଁ ହାଇଭୋଲଟେଜ କ୍ୟାମ୍ପେନ ହିଁ ଏକମାତ୍ର ବାଟ ତାହା ବେଶ ଭଲଭାବେ ବୁଝି ସାରିଲେଣି ବିଭିନ୍ନ ଦଳର ତୁଙ୍ଗ ନେତା । ନିର୍ବାଚନୀ ପ୍ରଚାର ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ଆପଣାଇଛନ୍ତି । ତେଣୁ ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ହାଇଭୋଲଟେଜ ପ୍ରଚାର ମାଧ୍ୟମରେ ପଲଟିକାଲ ଷ୍ଟଣ୍ଟ ଦେଖାଇବାକୁ ଏବେ ସବୁ ଦଳ ତତ୍ପର । କାରଣ ନିର୍ବାଚନୀ ପ୍ରଚାର ହିଁ ଏବେ ସବୁ ଦଳ ପାଇଁ ପାଲଟିଛି ଶେଷ ଭରସା । ତେଣୁ ବିଭିନ୍ନ ଦଳ ଏବେ ହାଇଭୋଲଟେଜ ପ୍ରଚାର ପାଇଁ ଷ୍ଟାର ପ୍ରଚାରକଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି । ଆଉ ଏଥିପାଇଁ ପ୍ରସ୍ତୁତ ହେଉଛି ଲମ୍ବା ତାଲିକା । ହେଭିୱେଟ ନେତାଙ୍କ ଠାରୁ ଆରମ୍ଭ କରି ଓଲିଉଡ ଷ୍ଟାର ସମସ୍ତଙ୍କୁ ଦେଖିବାକୁ ମିଳିବ ବିଜେପୁର ପ୍ରଚାର ମୈଦାନରେ ।

bijepurବିଜେପୁର ମହାସମର ପାଇଁ ମଇଦାନ ପ୍ରସ୍ତୁତ । ଯୋଦ୍ଧା ବି ପ୍ରସ୍ତୁତ । କେବଳ ଯୁଦ୍ଧକୁ ଅପେକ୍ଷା । ତେବେ ଏହି ଯୁଦ୍ଧକୁ ଜିତିବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ନେଇ ମଇଦାନକୁ ଓହ୍ଲାଇବେ । ଏସବୁ ଭିତରେ ଆଜି ବିଜେଡି ଓ ବିଜେପିର ନିର୍ବାଚନୀ ପ୍ରଚାର ରଣନୀତି ସାମ୍ନାକୁ ଆସିଛି । ବିଜେପୁରରେ ଶଙ୍ଖନାଦ କରିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହାଇଭୋଲଟେଜ ପ୍ରଚାରର ମଙ୍ଗୁଆଳ ସାଜି ବିଜେଡି ପାଇଁ ବିଜୟ ପଥ ପରିଷ୍କାର କରିବା ପାଇଁ ନବୀନ ଅଣ୍ଟା ଭିଡିଛନ୍ତି । ଖୁବଶୀଘ୍ର ବିଜେପୁର ପ୍ରଚାର ମୈଦାନରେ ନବୀନଙ୍କୁ ଦେଖିବାକୁ ମିଳିବ । ଏନେଇ ନବୀନ ନିଜେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବା ପାଇଁ ଖୁବଶୀଘ୍ର ବିଜେପୁରରେ ନବୀନଙ୍କୁ ଦେଖିବାକୁ ମିଳିବ ।

BIJEPURବିଜେପୁରରେ ବିଜେଡିର ବିଜୟ ପାଇଁ ସବୁଠୁ ବଡ ଆହ୍ୱାନ ପାଲଟିଛି ବିଜେପି । କାରଣ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯେଉଁ ସଫଳତା ମିଳିଥିଲା ତାହା ବିଜେଡିକୁ ଟିକିଏ ବିଚଳିତ କରିଛି । ପଞ୍ଚାୟତ ନିର୍ବାଚନରେ ମୋଟ ୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬ଟି ହାତେଇବାରେ ସକ୍ଷମ ହୋଇଥିଲା ବିଜେପି । ଏହାପଛରେ ମୁଖ୍ୟ କାରଣ ଥିଲା ନବୀନ ପ୍ରଚାର ମଇଦାନକୁ ନ ଓହ୍ଲାଇବା । ଆଉ ଏହାର ଫାଇଦା ଉଠାଇଥିଲା ବିଜେପି । କିନ୍ତୁ ରୀତା ସାହୁଙ୍କୁ ଜିତାଇବା ପାଇଁ ଏଥର ମୈଦାନକୁ ଫେରୁଛନ୍ତି ନବୀନ । କାରଣ ରୀତାଙ୍କ ବିଜୟ ପାଇଁ ଏବେ ବ୍ରାଣ୍ଡ ନବୀନ ହିଁ ଭରସା । ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ବିଜେଡିକୁ ବିଜୟ ପଥରେ ଆଉ ପାଦେ ଆଗକୁ ନେଇଯିବ ବୋଲି ଚର୍ଚ୍ଚା ହେଉଛି ।
ବିଜେପୁର ବାଜି ଜିତିବା ପାଇଁ ବିଜେଡି ଜି ଜାନ ଲଗାଇଦେଇଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଟାଣିବା ପାଇଁ ବ୍ଲକୱାରୀ ରାଜ୍ୟସ୍ତରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେପୁର ବ୍ଲକ ପାଇଁ ଦଳ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ନାୟକ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବରପାଲି ବ୍ଲକ ପାଇଁ ସଞ୍ଜୟ ଦାସବର୍ମା ଓ ଦେବେଶ ଆଚାର୍ଯ୍ୟଙ୍କ ମୁଣ୍ଡରେ ବଡ ଦାୟିତ୍ୱ ରହିଛି । ଗାଇସିଲଟ ବ୍ଲକକୁ ଜଗିବା ପାଇଁ ନିରଞ୍ଜନ ପୂଜାରୀ ଓ ପ୍ରଶାନ୍ତ ନନ୍ଦଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ସେହିଭଳି ସବୁ ପଞ୍ଚାୟତରୁ ଯେପରି ଭୋଟ ଆସିବ ସେଥିପାଇଁ ଦଳର ଛାମୁଆ ନେତାଙ୍କୁ ଦାୟିତ୍ୱ ଦେଇ ବିଜେପି ପାଇଁ ଚକ୍ରବ୍ୟୁହ ରଚନା କରିଛି ବିଜେଡି ।

ବ୍ରାଣ୍ଡ ବିଜେଡିକୁ ପ୍ରତିହତ କରିବା ପାଇଁ ବିଜେପି ମଧ୍ୟ ନୂଆ ରଣନୀତି ସହ ବିଜେପୁର ମୈଦାନକୁ ଓହ୍ଲାଇବ ବୋଲି ଜଣାପଡିଛି । ଆଉ ଏଥିପାଇଁ ଦଳ ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ । ହାଇଭୋଲଟେଜ ପ୍ରଚାରରେ ନବୀନଙ୍କ ଲୋକପ୍ରିୟତାକୁ ଫିକା କରିବା ପାଇଁ ବିଜେପି ମଧ୍ୟ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରସ୍ତୁତ କରିଛି । ଯେଉଁମାନେ ନବୀନଙ୍କୁ ମାତ ଦେଇପାରିବେ । ଏହି ଷ୍ଟାର ପ୍ରଚାରକଙ୍କ ତାଲିକାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ, , କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂହ, ଲୋକସଭାରେ ବିଜେପି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ସାଂସଦ ସାଧ୍ୱୀ ନିରଞ୍ଜନ ଏବଂ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ସାମିଲ କରିଛି ବୋଲି ସୂଚନା ମିଳିଛି । ବିଜେପିର ଏହି ସୁପର-୯ ଯୋଦ୍ଧା ବିଜେପୁର ପ୍ରଚାର ମୈଦାନରେ ନବୀନଙ୍କ ସହ ଲଢିବାକୁ ପ୍ରସ୍ତୁ୍ତ ହେଉଛନ୍ତି । ତେଣୁ ବିଜେପୁର ମୈଦାନରେ ନେତା ଓ ନେତାଙ୍କ ମଧ୍ୟରେ ଏକ ବଡ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

naveen mission bijepurବିଜେପୁର ଉପନିର୍ବାଚନରେ ସୁବଠାରୁ ବଡ ଭୂମିକାରେ ନଜର ଆସିବେ ଓଲିଉଡ ଷ୍ଟାର । ମୈଦାନରେ ଓଲିଉଡ ଷ୍ଟାରଙ୍କ ମଧ୍ୟରେ ବିଗ୍ ଫାଇଟ ଦେଖିବାକୁ ମିଳିବ । କାରଣ ଉଭୟ ବିଜେଡି ଓ ବିଜେପି ନାମଦାମୀ ଓଲିଉଡ ଷ୍ଟାରଙ୍କୁ ନିଜ କ୍ୟାମ୍ପରେ ପୂର୍ବରୁ ସାମିଲ କରି ସାରିଛି । ଏହାର ଝଲକ ନାମାଙ୍କନପତ୍ର ଦାଖଲ ବେଳେ ଦେଖିବାକୁ ମିଳିଥିଲା । ଉଭୟ ବିଜେଡି ଓ ବିଜେପି ଓଲିଉଡ ଷ୍ଟାରଙ୍କୁ ଶୋଭାଯାତ୍ରାରେ ସାମିଲ କରି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ । ତେଣୁ ଏମାନଙ୍କୁ ମଧ୍ୟ ଦଳ ଅଧିକ ଗୁରୁତ୍ୱ ଦେଉଛି । ଏସବୁ ଭିତରେ ବିଜେପୁର ପ୍ରଚାର ମଇଦାନରେ ଓଲିଉଡ ଷ୍ଟାରଙ୍କୁ ଓହ୍ଳାଇବାକୁ ଯୋଜନା କରିଛି ବିଜେଡି । କାରଣ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ଓଲିଉଡ ଷ୍ଟାରଙ୍କୁ ନେଇ ଜବରଦସ୍ତ କ୍ରେଜ ରହିଛି । ତେଣୁ ଅନୁଭବ,ସିଦ୍ଧାନ୍ତ ଓ ଅରିନ୍ଦମଙ୍କ ଭଳି ଓଲିଉଡ ଷ୍ଟାରଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇ ଭୋଟ ହାତେଇବା ଲକ୍ଷ୍ୟରେ ରହିଛି ବିଜେଡି ।

bijepur (9)ବିଜେଡିର ଓଲିଉଡ ଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଥିବା ବେଳେ ଏହାକୁୁ କାଉଣ୍ଟର ଆଟାକ କରିବା ପାଇଁ ବିଜେପି ମଧ୍ୟ ସେହି ସମାନ ରଣନୀତି ଆପଣାଇଛି । ଦଳରେ ଥିବା ଓଲିଉଡ ଷ୍ଟାରଙ୍କୁ ପ୍ରଚାର ଭାରର ଦାୟିତ୍ୱ ଦେଇ ଭୋଟ ସାଉଁଟିବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି । ଦଳରେ ମଧ୍ୟ ମିହିର ଦାସ, ଅନୁ ଚୌଧୁୂରୀ, ହରିହର ମହାପାତ୍ରଙ୍କ ଭଳି ଓଲିଉଡ ଷ୍ଟାର ରହିଛନ୍ତି ଯେଉଁମାନଙ୍କର ଗ୍ରାମାଞ୍ଚଳରେ କ୍ରେଜ ରହିଛି । ତେଣୁ ଏମାନଙ୍କ ପ୍ରଚାରର ପ୍ରଭାବ ଇଭିଏମ ମେସିନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ଗୋଟିଏ ଦେଖିବାକୁ ବାକି ରହିଲା ବିଜେପୁର ଭୋଟରଙ୍କ ଉପରେ ବିଜେଡିର ବ୍ରାଣ୍ଡ ନବୀନ ନା ବିଜେପିର ସୁପର-୯ର ପ୍ରଭାବ ପଡିବ ତାହା ୨୮ ତାରିଖରେ ଜଣାପଡିବ ।