ଭୋଟ୍ ଦେଉଛି ବିଜେପୁର: ଭୋଟରଙ୍କ ଧାଡିରେ ନେତା…ଗଣତନ୍ତ୍ରର ମହାପର୍ବରେ ଭୋଟ୍ ଦେଇ ମତଦାନ ସାବ୍ୟସ୍ତ କରୁଛନ୍ତି ହେଭିୱେଟ୍

ଉପନିର୍ବାଚନ ପାଇଁ ୨୮୫ଟି ବୁଥରେ ମତଦାନ ଜାରି; ୧୧ଟା ସୁଦ୍ଧା ୨୫ ଦଶମିକ ୭ ପ୍ରତିଶତ ଭୋଟିଂ

290

କନକ ବ୍ୟୁରୋ: ବିଜେପୁରରେ ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ସକାଳ ୧୧ ଟା ସୁଦ୍ଧା ୨୫ ଦଶମିକ ୭ ପ୍ରତିଶତ ଭୋଟିଂ ହୋଇଛି । ଭୋଟ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ପ୍ରବଳ ଭିଡ ଜମିଛି ।ବିଶେଷ କରି ମହିଳା ଭୋଟରମାନେ ଲମ୍ବା ଲାଇନରେ ଘଂଟା ଘଂଟା ଧରି ଛିଡା ହୋଇ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାଧାରଣ ଭୋଟରଙ୍କ ଭଳି ଲମ୍ବା ଲାଇନରେ ଛିଡା ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ହେଭିୱେଟ୍ ନେତାମାନେ ।

ପ୍ରଥମେ ବିଜେପୁରର ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବୁଥରେ ମତଦାନ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ରୀତା ସାହୁ । ଏହା ସହିତ ବିଜେପୁରବାସୀ ବିଜେପୁରର ବିକାଶ ପାଇଁ ଭଲ ଲୋକ ବାଛିବେ ବୋଲି କହିଛନ୍ତିି ବିଜେପୁର ବିଜେଡି ପ୍ରାର୍ଥୀ ରିତା ସାହୁ । ଏହା ସହିତ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।  ସେହିଭଳି ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୦୫ ନମ୍ବର ବୁଥରେ ମତଦାନ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ବୁଥରେ ଭୋଟ ଦାନ କରିଛନ୍ତି ।

ବିଜେପୁର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ଭୋଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଉଛି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ ।