ବରଫ ପାଲଟିଲା ନଦୀର ଜଳ ! ଆମେରିକାରେ ରେକର୍ଡ ଭାଙ୍ଗିଲା ଶୀତ, ମାଇନସ୍ ୨୭ ଡିଗ୍ରୀକୁ ଖସିଲା ସିକାଗୋ ତାପମାତ୍ରା, ଜୀବନଯାତ୍ରା ଅଚଳ  ।

259

କନକ ବ୍ୟୁରୋ : ଆମେରିକାରେ ରେକର୍ଡ ଭାଙ୍ଗିଲା ବରଫପାତ  । ଆମେରିକାର ଅଧିକାଂଶ ରାଜ୍ୟରେ ବରଫପାତ ଜାରି ଥିବାବେଳେ ତାପମାତ୍ରା ତଳକୁ ଖସିବାରେ ଲାଗିଛି  । ବରଫପାତର ପ୍ରଭାବ ସାଧାରଣ ଜନଜୀବନ ଉପରେ ପଡ଼ିଛି  । କିଛି ସ୍ଥାନରେ ବିମାନ ଓ ରେଳ ଚଳାଚଳ ଉପରେ ରୋକ୍ ଲଗାଯାଇଛି  । ଏପରିକି ଶୀତ ଯୋଗୁ ସିକାଗୋ ନଦୀର ପାଣି ମଧ୍ୟ ଜମିଯାଇଥିବା ଦେଖିବାକୁ ମିଳିଛି  । ଆସନ୍ତୁ ଜାଣିବା ଆମେରିକାରେ କେମିତି ରହିଛି ଶୀତପ୍ରକୋପ  ।

ବରଫ ପାଲଟିଲା ନଈର ପାଣି । ଆମେରିକାରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଭୟଙ୍କର ଶୀତ ଯୋଗୁ ସିକାଗୋ ସହର ବରଫମୟ ହୋଇଥିବା ବେଳେ ନଦୀର ପାଣି ମଧ୍ୟ ବରଫ ପାଲଟିଯାଇଛି  । ଆମେରିକାରେ ଭୟଙ୍କର ରହିଛି ଶୀତର ପ୍ରକୋପ  । ସିକାଗୋ ସହରରେ ତାପମାତ୍ରା ମାଇନସ୍ ୨୫ ଡିଗ୍ରୀ ତଳକୁ ଖସିଥିବା ବେଳେ ତାପମାତ୍ରା ମାଇନସ୍ ୭୦ ଡିଗ୍ରୀ ତଳକୁ ଖସିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  । କୁହାଯାଉଛି ଆଗକୁ ଆମେରିକାର ବିଭିନ୍ନ ଅଂଚଳରେ ଆଂଟାର୍କଟିକାଠାରୁ ଅଧିକ ଶୀତ ଅନୁଭୂତ ହେବ  । ଅନ୍ୟପଟେ ଶୀତ ଓ ବରଫପାତକୁ ଦୃଷ୍ଟିରେ ରଖି ବର୍ତମାନ ପର୍ଯ୍ୟନ୍ତ ୨୭୦୦ରୁ ଉଦ୍ଧ୍ୱର୍ ବିମାନର ଚଳାଚଳକୁ ବାତିଲ୍ କରାଯାଇଛି  ।

ଥଣ୍ଡାରେ ଥରୁଛି ଆମେରିକା :

– ଆମେରିକାର ଇଲିନୟ୍, ମିନେସୋଟା, ନର୍ଥ ଡାକୋଟା, ସାଉଥ୍ ଡାକୋଟା, କାନସାସ୍, ମିସୌରି ଓ ସିକାଗୋରେ ଭୟଙ୍କର ବରଫପାତ ଦେଖିବାକୁ ମିଳିଛି  ।

– ସିକାଗୋ ସ୍ଥିତି ସର୍ବାଧିକ ଖରାପ ଥିବା ବେଳେ ସିକାଗୋ ବିମାନ ବନ୍ଦରରେ ୧୫୦୦ରୁ ଉଦ୍ଧ୍ୱର୍ ବିମାନର ଉଡ଼ାଣ ଓ ଅବତରଣ ଉପରେ ରୋକ୍ ଲଗାଯାଇଛି  ।

– ୭୨ ଭାଗ ଆମେରିକୀୟଙ୍କ ଅଂଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି ଓ ବାକି ୨୮ ଭାଗ ଆମେରିକୀୟଙ୍କ ସହରର ତାପମାତ୍ରା ଶୂନ୍ୟ ଡିଗ୍ରୀ ପାଖାପାଖି ରହିଛି  ।

– ଆଂଟାର୍କଟିକାରେ ବରଫଝଡ଼ ବା ଆର୍କଟିକ୍ ବ୍ଲାଷ୍ଟ ପ୍ରଭାବରୁ ଆମେରିକାରେ ବରଫପାତ ହୋଇଥିବା ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି  ।

ଆସନ୍ତୁ ଜାଣିବା ଭୟଙ୍କର ଶୀତରେ କିଭଳି ଥରୁଛି ଆମେରିକା  । ପାରଦ ତଳକୁ ଖସିବା ଯୋଗୁ ଆମେରିକାରେ ସ୍ଥିତି ସଙ୍ଗୀନ୍ ହୋଇପଡ଼ିଛି  । ଏହାର କିଭଳି ମୁକାବିଲା କରିବ ସାଧାରଣ ମଣିଷ ତାକୁ ନେଇ ଏବେ ଚିନ୍ତା  । ଗଛଲତା ପାହାଡ଼ ଓ ଜନବସତି ବରଫାଚ୍ଛନ୍ନ ହୋଇଥିବା ବେଳେ ଜୀବନ ଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି  । ରାସ୍ତାରେ ବରଫ ଜମିରହିବା କାରଣରୁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି  । ଅନେକ ସ୍ଥାନରେ ରେଳ ଓ ବିମାନ ଚଳାଚଳ ଉପରେ ମଧ୍ୟ ରୋକ୍ ଲାଗି ଯାଇଛି  । ଆଂଟାର୍କଟିକା ଅବବାହିକାରେ ଲଘୁଚାପ ଯୋଗୁ ଆମେରିକା ଆଡ଼କୁ ଶୀତଳବାୟୁ ଅଧିକ ପ୍ରବାହିତ ହେଉଛି  । ଏହି କାରଣରୁ ଆମେରିକାରେ ପ୍ରବଳ ବରଫପାତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି  । ସେପଟେ ଲୋକଙ୍କୁ ଘରୁ ନବାହାରିବାକୁ ଓ ଯଥେଷ୍ଟ ଶୀତବସ୍ତ୍ର ପିନ୍ଧିବାକୁ ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି  । ଅନ୍ୟପଟେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ସ୍ଥାନୀୟ ଲୋକଙ୍କ ବଢ଼ିଯାଇଛି ଚିନ୍ତା  ।