ଜାମ୍ମୁ କାଶ୍ମୀରରେ ଭୟଙ୍କର ତୁଷାରପାତ ! ବଢିବାରେ ଲାଗିଛି ଶୀତର ପ୍ରକୋପ, ଦେଖାଯାଉନି ମାଟି, ଗଛପତ୍ରରେ ବି ବରଫର ମୋଟା ଆସ୍ତରଣ ।

115

କନକ ବ୍ୟୁରୋ : କାଶ୍ମୀରରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ  । ରାଜ୍ୟର ବିଭିନ୍ନ ଭାଗରେ ବରଫପାତର ଖବର ବି ରହିଛି  । ପାଣିପାଗ ବିଭାଗ ଆଗକୁ ଆଉ କିଛି ଦିନ ଶୀତ ଲାଗିରହିବା ପୂର୍ବାନୁମାନ କରିବା ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି  । ତେବେ କେବଳ ଜାମ୍ମୁ କାଶ୍ମୀର ନୁହେଁ ହିମାଚଳ ପ୍ରଦେଶର କୁଲୁ, ମନାଲି ଓ ସିମଲାରେ ମଧ୍ୟ ବରଫପାତ ହୋଇଛି  ।

ବରଫ ବଳୟ ତଳେ ଭାରତର ଭୂସ୍ୱର୍ଗ । କାଶ୍ମୀରରେ ଭୟଙ୍କର ତୁଷାରପାତ । ଆଖି ଖୋଲି ଅନେଇଲେ ଖାଲି ବରଫ ହିଁ ବରଫ । ଦେଖାଯାଉନି ମାଟି, ଗଛପତ୍ର ଉପରେ ବି ବରଫର ମୋଟା ଆସ୍ତରଣ  । ଜାମ୍ମୁ କାଶ୍ମୀରର ଏପରି ଚିତ୍ର ହିଁ ବୟାନ୍ କରୁଛି କିଭଳି ପଡ଼ିଛି ଶୀତ  । ଦୁଇକଡ଼ରେ ଥିବା ବଣଜଙ୍ଗଲ, ପାହାଡ଼ ପର୍ବତ ସବୁକିଛି ବରଫାବୃତ ହୋଇ ରହିଛି । ମାଇନସ୍ ଡିଗ୍ରୀ ତାପମାତ୍ରା ରହିବା କାରଣରୁ ଜାମ୍ମୁ କାଶ୍ମୀରର ଅଧିକାଂଶ ଭାଗ ଏବେ ବରଫ ଚାଦର ତଳେ ରହିଛି  । ସେପଟେ କାଶ୍ମୀରର ବରଫପାତ ଓ ଉପଭୋଗ୍ୟ ପାଗର ମଜା ନେବାକୁ ପର୍ଯ୍ୟଟକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି  ।

ସେପଟେ ହିମାଚଳରେ ବି ବରଫପାତ । ମାଇନସ୍ ଡିଗ୍ରୀରେ ଥରୁଛି ସିମଲା । ଏଠି ମଧ୍ୟ ବରଫ ଘୋଡ଼େଇ ରଖିଛି ସହରକୁ  । ରେଳ ଷ୍ଟେସନରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁକିଛି ବରଫଚାଦର ତଳେ ରହିଛି  । ସେପଟେ ମନାଲିରେ ମଧ୍ୟ କିଛି ସେହିପରି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବୟାନ୍ କରୁଛି ଚଳିତବର୍ଷ କିଭଳି ବଦଳିଛି ପାଣିପାଗର ମିଜାଜ୍ ଓ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ  । ସେପଟେ ଉପଭୋଗ୍ୟ ପାଗର ମଜା ନେବାକୁ କୁଲୁରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି  ।

ଦେଶର ଅନ୍ୟ ସ୍ଥାନରେ ଶୀତ କମିବାକୁ ଲାଗିଥିବା ବେଳେ ଜାମ୍ମୁକାଶ୍ମୀରରେ ମାଇନସ୍ ଡିଗ୍ରୀ ତାପମାତ୍ରା କାରଣରୁ ଅଧିକାଂଶ ଭାଗ ଏବେ ବରଫ ଚାଦର ତଳେ ରହିଛି  । ଫଳରେ ସାଧାରଣ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫବର୍ଷା ଯୋଗୁଁ ଦୁଇ ଦିନ ଧରି ଜାମ୍ମୁ ଶ୍ରୀନଗର ରାଜପଥ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ବରଫ ହଟାଇବା କାମ ଆରମ୍ଭ କରାଯାଇଥିଲେ ସୁଦ୍ଧା ଲଗାତର ତୁଷାରପାତ ଯୋଗୁଁ ରାସ୍ତା ଖୋଲାଯାଇ ପାରିନାହିଁ  । ପ୍ରବଳ ବରଫପାତ ଯୋଗୁଁ ଶ୍ରୀନଗରରେ ଉଡାଣ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ତମାନ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ରାଜପଥ ମଧ୍ୟ ବନ୍ଦ ରହିିଥିବା ଜଣାପଡ଼ିଛି  । ଜାମ୍ମୁ କାଶ୍ମୀରରେ ଏବେ କେବଳ ଅପେକ୍ଷା ପାଣିପାଗର ଏଭଳି ମିଜାଜ୍ ବଦଳିବାକୁ କାରଣ ଶୀତରୁ ସମସ୍ତଙ୍କୁ ଦରକାର ମୁକ୍ତି ।