ହକି ପ୍ରେମୀଙ୍କ ହୃତ୍ ସ୍ପନ୍ଦନ ବଢ଼ାଇଲେ ସଚିନ ତେନ୍ଦୁଲକର: ବିଶ୍ୱକପ ଉଦଯାପନୀ ଉତ୍ସବରେ ସାମିଲ ହେବା ପାଇଁ ଆଜି ଓଡିଶା ଆସୁଛନ୍ତି ମାଷ୍ଟର ବ୍ଲାଷ୍ଟର

କଡ଼ା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍‌

104

କନକ ବ୍ୟୁରୋ: କଳିଙ୍ଗରେ ହାର୍ଟ ବିଟ୍ ବଢାଇବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆଜି ଓଡିଶା ଆସୁଛନ୍ତି ଏହି ମହାନ କ୍ରିକେଟର । ବିଶ୍ୱ କପ୍ ହକି ଉଦଯାପନୀ ଉତ୍ସବରେ ସାମିଲ ହେବାକୁ ସଚିନ୍ ଆଜି ଭୁବନେଶ୍ୱରରେ ପହଂଚିବେ । ଏନେଇ ଟୁଇଟ୍ କରି ଜଣାଇଛନ୍ତି ସଚିନ । ଭୁବନେଶ୍ୱରରେ ହକି ବିଶ୍ୱକପ ଆୟୋଜନକୁ ବିଶ୍ୱସ୍ତରୀୟ ବୋଲି କହିଛନ୍ତି ସଚିନ ତେନ୍ଦୁଲକର । ସେପଟେ ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ କହିଛନ୍ତି, ତାଙ୍କ ଉପସ୍ଥିତି ଲକ୍ଷ ଲକ୍ଷ ଫ୍ୟାନଙ୍କୁ ଉତ୍ସାହିତ କରିବ । କଳିଙ୍ଗ ଷ୍ଟାଡିଅମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଚିତାକର୍ଷକ ହୋଇଥିବା ବେଳେ ଏଥିରେ ବଲିଉଡ୍ କିଙ୍ଗ ଖାନ ଶାହରୁଖ, ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ସଂଗୀତକାର ଏ.ଆର୍ ରେହମାନ ଯୋଗ ଦେଇଥିଲେ । ପରେ କଟକର ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ୍ ହକି ସେଲିବ୍ରେସନ୍ରେ ସାମିଲ ହୋଇଥିଲେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ।

କଡ଼ା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍‌

ସେପଟେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କଳିଙ୍ଗ ଷ୍ଟାଡିଅମ୍ ଆସୁଥିବା ଜାଣିବା ପରେ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ସଚିନଙ୍କୁ ଦେଖିବାକୁ ଆଜି ପ୍ରବଳ ଭିଡ ହେବା ଅନୁମାନ କରାଯାଉଛି । ଭାରତୀୟ ଟିମ୍ ବିଶ୍ୱକପରୁ ବିଦା ହୋଇଯାଇଥିବା ବେଳେ ସଚିନଙ୍କ କଳିଙ୍ଗ ଷ୍ଟାଡିଅମ୍ ଆସିବା ନିଷ୍ପତି ହକି ପ୍ରତି ପୁଣି ଦର୍ଶକଙ୍କ କ୍ରେଜ୍ ବଢାଇଦେଇଛି । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଖେଳ ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା କି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୁଲିସ ଗୁରୁତ୍ବ ଦେଇଛି।

ଷ୍ଟାଡିୟମ୍ ବାହାର ଓ ଭିତର ଫାଟକରେ ଥିବା ପୁଲିସ କର୍ମଚାରୀଙ୍କୁ ଚେକିଂକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ସବୁ ଗେଟରେ ମେଟାଲ ଡିଟେକ୍ଟର ବ୍ୟବସ୍ଥା କରାଯାଇଛି। ଏପରିକି ଷ୍ଟାଡିୟମ୍ ଭିତରେ ମଧ୍ୟ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗ୍ୟାଲେରି ଭିତର, ଷ୍ଟାଡିୟମ୍ ଭିତରର ସବୁ ସ୍ଥାନକୁ ଭଲଭାବେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମଧ୍ୟ ଷ୍ଟାଡିୟମ୍ ଭିତର ଓ ବାହାର ଉପରେ ନଜର ରଖିଛି। ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ୩୦ ଜଣ ଆଗ୍ନିକ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ମୁତୟନ ହେବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ପୁଲିସ ଡିଜି, ପୁଲିସ କମିସନର, ଡିସିପି, ୫ଜଣ ଏସ୍ପି ପାହ୍ୟାର ଅଧିକାରୀ, ୮୫ଜଣ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ, ୧୮୫ ଜଣ ଏସିପି, ୪୦ଜଣ ଆଇଆଇସି ଏବଂ ଅନ୍ୟ ଅଫିସରଙ୍କୁ ମିଶାଇ ମୋଟ୍ ୪୦୦ଜଣ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ସେହିପରି ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ଆଣ୍ଟି ସାବୋଟେଜ୍ ସ୍କ୍ବାଡ୍, ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍, ଏସଓଜି ଯବାନ, କ୍ୟୁଏଟି, ଇଣ୍ଟେଲିଜେନ୍ସ ମଧ୍ୟ ମୁତୟନ ହୋଇଛନ୍ତି। ଏହାଛଡ଼ା ଷ୍ଟାଡିୟମ୍ରେ ପୁଲିସ କଂଟ୍ରୋଲ୍ରୁମ୍ ଖୋଲା ଯାଇଥିବାବେଳେ। ଷ୍ଟାଡିୟମକୁ ସ୍ୱତନ୍ତ୍ର ଭାବେ ଏସଓଜି କମାଣ୍ଡର ଜଗିବା ସହ ପ୍ରତି ଗ୍ୟାଲେରିରେ ଗୁଇନ୍ଦା ପୁଲିସ ମୁତୟନ ହୋଇଛନ୍ତି।