ଆସନ୍ତାକାଲି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ, ସନ୍ଧ୍ୟାରେ ହାତୀବେଶରେ ଦେବେ ଦର୍ଶନ । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କଲା ପ୍ରଶାସନ ।

108

କନକ ବ୍ୟୁରୋ : ଆସନ୍ତାକାଲି ଦେବସ୍ନାନ ପୂଣ୍ଣମୀ । ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶରେ ଦର୍ଶନ ଦେବେ ତିନିଠାକୁର । ଆଉ ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଦେଶର ବିଭିନ୍ନ ସ୍ଥାନରୁ ପୁରୀକୁ ଦର୍ଶନାର୍ଥୀଙ୍କ ସୁଅ ଛୁଟିଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଭକ୍ତମାନେ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଭିଡକୁ ଦୃଷ୍ଟିରେ ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରଶାସନ ବି ସଜାଗ ରହିଛି । ଏଥିସହ ଟ୍ରାଫିକ ଏବଂ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସ୍ନାନପୂର୍ଣ୍ଣମୀ ପାଇଁ ଜୋରଦାର ପ୍ରସ୍ତୁତି । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ସ୍ନାନ ମଣ୍ଡପରେ ବିଜେ ହେବେ ତିନି ଠାକୁର । ଏଥିପାଇଁ ଆଜି ଠାରୁ ଆରମ୍ଭ ହୋଇଯାଇଛି ତିନିଠାକୁରଙ୍କ ସେନାପଟା ଲାଗି । ମଙ୍ଗଳାର୍ପଣ ପୁଷ୍ପାଞ୍ଜଳୀ, ଚଉଠି ହୋମ ସରିବା ପରେ ପରେ ଆଜି ରାତି ପ୍ରାୟ ଗୋଟାଏ ସମୟରେ ହେବ ମଙ୍ଗଳାଆଳତୀ । ତେଣୁ ମଧ୍ୟରାତ୍ର ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ରାତି ପ୍ରାୟ ୪ଟାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି । ପହଣ୍ଡିରେ ବିଜେ ହୋଇ ତିନିଠାକୁର, ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ସ୍ନାନ ମଣ୍ଡପରେ ବିରାଜିବେ ।

ସ୍ନାନ ମଣ୍ଡପରେ ଅନ୍ୟାନ୍ୟ ନିତିକାନ୍ତି ପରେ ଦିନ ପ୍ରାୟ ୧୧ଟା ବେଳେ ଆରମ୍ଭ ହେବ ସ୍ନାନ । ଶହେ ଆଠ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଗଜପତି ମହାରାଜଙ୍କ ଛେରାପହଁରା ନୀତି ସମ୍ପନ୍ନ ପରେ ସନ୍ଧ୍ୟା ସମୟରେ ହାତୀ ବେଶରେ ଦର୍ଶନ ଦେବେ ତିନି ଠାକୁର । ରାତି ପ୍ରାୟ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ସ୍ନାନପୂର୍ଣ୍ଣମୀରେ ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନେ କିପରି ଭଲ ଭାବରେ ଦର୍ଶନ କରିପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଦର୍ଶନାର୍ଥୀମାନେ ସିଂହଦ୍ୱାରରେ ପ୍ରବେଶ କରି ବାମ ବେଢା ଦେଇ କିର୍ତନ ଚକଡା ଯିବେ । ସେଠାରୁ ଘୋଡାଦ୍ୱାର ଦେଇ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଦେବସ୍ନାନ ପୂର୍ଣ୍ଣମୀ ପାଇଁ ପୁରୀରେ ଆସନ୍ତାକାଲି ୪୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିକୋଣରୁ ଏକ ୟୁନିଟ ଏସଟିୟୁ ବ୍ୟବସ୍ଥା କରାଯାଇଛି । ଜଗନ୍ନାଥ ବଲ୍ଲଭ, ପୁରୀ ଜିଲ୍ଲା ସ୍କୁଲ, ଏସସିଏସ କଲେଜରେ ହୋଇଛି ପାର୍କିଂ ବ୍ୟବସ୍ଥା ।