ଅଟକି ଯାଇଛି ମାୟାନଗରୀ ! ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ପାଣିର ପ୍ରଳୟ

50

କନକ ବ୍ୟୁରୋ : ଅଟକି ଯାଇଛି ମାୟାନଗରୀ ମୁମ୍ବାଇ । ହଜିଯାଇଛି ମୟାନଗରୀର ଚମକଦମକ । ବ୍ରେକ୍ ଲାଗିଯାଇଛି ସବୁଠାରୁ ବ୍ୟସ୍ତ ସହର ମୁମ୍ବାଇର ବେଗରେ । ବର୍ଷା ପାଣିରେ ଧୋଇ ହୋଇଯାଇଛି ମେଟ୍ରୋ ସିଟିର ମେଟ୍ରୋପଲିଟାନ୍ ଲାଇଫଷ୍ଟାଇଲ୍ । ମୁମ୍ବାଇରେ ପ୍ରକୃତିର ପ୍ରଳୟଙ୍କରୀ ରୂପ । ଗତ ଶନିବାର ସକାଳୁ ମୁମ୍ବାଇରେ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁଁ ଜୀବନ ଯାତ୍ରା ଠପ୍ ହୋଇଯାଇଛି । ବର୍ଷାଜନ ନିଷ୍କାସିତ ହୋଇ ନପାରି ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି । ରାସ୍ତାଘାଟ ସବୁଆଡ଼େ ପାଣିର ସୁଅ ଛୁଟିଛି । ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ଲଗାଣ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ମୁମ୍ବାଇର ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି  ।

mumbai-rain-759ସହରର ଅଧିକାଂଶ ଅଂଚଳ ପାଣି ଘେରରେ ରହିଛି । ଯାନ ବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା ସହ ଜଳବନ୍ଦୀ ହୋଇଯାଇଛନ୍ତି ମୁମ୍ବାଇବାସୀ । ଅନ୍ୟପଟେ ବର୍ଷା ଲାଗିରହିଥିବାରୁ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ହସ୍ପିଟାଲରେ ପାଣି ପଶିଯିବାରୁ ରୋଗୀଙ୍କୁ ଉପର ମହଲାକୁ ସ୍ଥାନାନ୍ତର କରାଯାଇଛି । ଏପରିକି ବର୍ଷା ଜଳରେ ଗାଡି ମଟର ଭାସୁଥିବାରୁ ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ବର୍ଷା ଯୋଗୁଁ ସମସ୍ତ ସ୍କୁଲ୍ ଏବଂ କଲେଜ୍ ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ସନ୍ଧ୍ୟା ୫ଟା ୩୦ ପରଠାରୁ ହାଇଟାଇଡ୍ ସୂଚନା ଜାରି କରାଯାଇଛି । ଅତି ଆବଶ୍ୟକ ନପଡ଼ିଲେ ଘରୁ ନବାହାରିକୁ ପୁଲିସ୍ ମୁମ୍ବାଇବାସୀଙ୍କୁ କହିଛନ୍ତି । ଏହା ସହ ହେଲ୍ପ ଲାଇନ୍ ନମ୍ବର ଜାରି ଜରିଛି ମୁମ୍ବାଇ ପୁଲିସ୍  ।

mumbaiପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍ ଚଳାଚଳ ଏବଂ ବିମାନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ରେଳ ଲାଇନରେ ପାଣି ଭରିଯିବା କାରଣରୁ ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେତେକ ଟ୍ରେନ ୩୦ ମିନିଟ୍ ବିଳମ୍ବରେ ଯାତ୍ରା କରୁଛି। ଏହା ବ୍ୟତୀତ ମୁମ୍ବାଇ ବିମାନବନ୍ଦରରେ ବିମାନ ଯାତାୟାତ ପ୍ରଭାବିତ ହୋଇଛି। ବିମାନ ମଧ୍ୟ ୧୫ରୁ ୨୦ ମିନିଟ ବିଳମ୍ବରେ ଉଡ଼ାଣ ଭରୁଛନ୍ତି। ପାଣିପାଗ ବିଭାଗର ତଥ୍ୟ ମୁତାବକ ସୋମବାର ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ପର୍ୟ୍ୟନ୍ତ କୋଲାବରେ ୧୫୧ ମିଲିମିଟର ଏବଂ ସାନ୍ତାକ୍ରୁଜରେ ୮୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କଣ୍ଟ୍ରୋଲ ରୁମରେ ସ୍ଥିତିର ସମୀକ୍ଷା କରିଛନ୍ତି । ମୁମ୍ବାଇରେ ଏମିତି ବର୍ଷା ୧୨ ବର୍ଷ ପୂର୍ବେ ୨୦୦୫ ରେ ଦେଖିବାକୁ ମିଳିଥିଲା । ଏଥିରେ ୮୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା । କେବଳ ମୁମ୍ବାଇରେ ୪୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟିଥିଲା।

ତେବେ ବର୍ଷା ହେଲେ ମୁମ୍ବାଇ ଡ୍ରେନେଜ୍ ସିଷ୍ଟମ୍ କିପରି ଅସହାୟ ହୋଇପଡ଼େ ତାହାର କିଛି ଦୃଶ୍ୟ ପୁଣିଥରେ ସାମ୍ନାକୁ ଆସିଛି । ମୁମ୍ବାଇ ମହାନଗରୀରେ ପାଣିର ପ୍ରଳୟ । କେଉଁଠାରେ ଗଛ ଉପୁଡ଼ି ପଡ଼ିଛି ରାସ୍ତାରେ ତ ଆଉ କେଉଁଠାରେ ଘର ଭିତରେ ଚାଲିଛି ବର୍ଷା ପାଣି । ଲଗାଣ ବର୍ଷା ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି ମାୟାନଗରୀରେ । ୩ ପଟେ ସମୁଦ୍ର ଥିବାରୁ ସମୁଦ୍ର ପାଣି ସହର ଭିତରକୁ ଚାଲି ଆସିବାର ମଧ୍ୟ ସମ୍ଭାବନା ରହିଛି ଯାହା ବଢ଼ାଇଦେଇଛି ମୁମ୍ବାଇର ଦୁଃଖକୁ  ।