ବର୍ଷା ପାଣିରେ ଶୋଇଛି ପାଚିଲା ଧାନଗଛ ! ଚାଷୀର ବର୍ଷକ ପରିଶ୍ରମରେ ପାଣି ପକେଇ ଦେଇଛି ଲଘୁଚାପ ବର୍ଷା, ଆହୁରି ୧୨ ଘଂଟା ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

50

କନକ ବ୍ୟୁରୋ : ଫସଲ ଉଜାଡି ଦେଇଛି ଲଘୁଚାପ ବର୍ଷା । ୩ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ରାଜନଗରରେ ଅଧିକ କ୍ଷତିଗ୍ରସ୍ଥ ହୋଇଛି ଚାଷୀକୂଳ । ବିଲରେ ପାଚିଲା ଧାନ ପାଣିରେ ଶୋଇ ରହିଛି । ରାଜନଗରରେ ହଜାର ହଜାର ଏକର ଚାଷଜମିରେ ପାଚିଲା ଧାନ ପାଣିରେ ବୁଡି ରହିଛି । ୩ଦିନ ମଧ୍ୟରେ ୧୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ବର୍ଷା ଲାଗିରହିଥିବାରୁ କ୍ଷୟକ୍ଷତିର ପରିମାଣ ବୃଦ୍ଧିପାଇବ ବୋଲି ଆଶଙ୍କା କରାଯାଉଛି । ରାଜନଗର ବ୍ଲକର ଧୋୟା ଅଂଚଳ କେରଡାଗଡ, ରାଜପୁର, ବାଲିସାହିପାଟଣା, ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜନଗର, ସାନବଡ ଗୋପାଳପୁର ପଂଚାୟତରେ ଅଧିକ କ୍ଷୟକ୍ଷତି ହୋଇଛି । ବ୍ଲକର ସମସ୍ତ ୨୯ଟି ପଂଚାୟତରେ ଧାନଫସଲ ପାଣିରେ ବୁଡି ରହିଛି ।

ସେହିପରି ରାଜଜନଗର ବ୍ଲକରେ ଚାଷୀମାନେ କେବଳ ଖରିଫ ଧାନଚାଷ ଉପରେ ନିର୍ଭର କରିଥାନ୍ତି । ବ୍ଲକର ୨୯ଟି ପଂଚାୟତରେ ଚଳିତ ଖରିଫ ଋତୁରେ ୨୩ହଜାର ହେକ୍ଟର ଚାଷଜମିରେ ଧାନଚାଷ ହୋଇଥିଲା । ଗତ ୧୦ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠୁ ଭଲ ଫସଲ ହୋଇଥିଲା । ପ୍ରାୟ ୯୦ପ୍ରତିଶତ ଜମିରେ ଧାନ ପାଚିଯାଇଥିଲା । ଚାଷୀ ଫସଲ ଅମଳ କରିବାକୁ ସଜବାଜ ହେଉଥିବା ବେଳେ ହଠାତ୍ ଅଦିନରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସୁନାର ଫସଲକୁ ଉଡାଜି ଦେଇଛି । ଚାଷୀକୂଳ ଫସଲ ହରାଇବା ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି ।

ପ୍ରଥମେ ରୋଗପୋକ, ଆଉ ଏବେ ଲଘୁଚାପ ବର୍ଷା ମୟୂରଭଞ୍ଜ ଚାଷୀଙ୍କ ଉପରେ ଦାଉ ସାଜିଛି । ଲଘୁଚାପ ବର୍ଷା ଯୋଗୁଁ କ୍ଷେତରେ ନଷ୍ଟ ହେଉଛି ଧାନ ଫସଲ । ଜିଲ୍ଲାର ଲକ୍ଷ୍ମିପୋଷି ମୌଜାରେ କଟା ହୋଇ ବିଲରେ ପଡିଥିବା ଧାନ ଏବେ ପାଣିରେ ଭାସୁଥିବା ବେଳେ ଖଳାରେ ମଧ୍ୟ ଅଧିକାଂଶରେ ଗଜାମାରିବା ଆରମ୍ଭ ହେଲାଣି । ଜମିରେ ଏବେ ଚାରିଆଡେ ବର୍ଷା ପାଣି ଜମିରହିଛି । ଦୁଇ ଦିନର ଲଗାଣ ବର୍ଷାରେ ଉଜୁଡି ଯାଇଛି ପାଚିଲା ଧାନ ଫସଲ । ଅଦିନିଆ ବର୍ଷାରେ ଜମିରେ ପାଚିଲା ଧାନ ଗଜା ହେବାକୁ ବସିଲାଣି । ଧାରକରଜ କରି ଚାଷ କରିଥିଲା ଚାଷୀ । ଫସଲ ମଧ୍ୟ ଠିକ ହୋଇଥିଲା କିନ୍ତୁ ଏବେ ଅଦିନିଆ ବର୍ଷା ଯୋଗୁଁ ଧାନରେଗଜା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ଗତ ୨ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ବିଶୋଇ, ଜାମଦା,ବହଳଦା ଆଦି ଅଚଂଳରେ ଅଧିକ ମାତ୍ରାରେ ବର୍ଷା ହୋଇଛି । ବର୍ଷା କ୍ଷୟକ୍ଷତିର ଆକଳନ ରିପୋର୍ଟ ପ୍ରସ୍ତୁତି ଆରମ୍ଭ କରାଯାଇ ଏସ୍ଆର୍ସିଙ୍କ ପାଖକୁ ପଠାଯାଉଛି । ଏବଂ ରିପୋର୍ଟ ଅନୁଯାୟୀ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ କହିଛନ୍ତି ।

ସୂଚନାଯୋଗ୍ୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ସମୟରେ ଦୁର୍ବଳ ହେଉଛି । ଏହ ଆଗାମି ୪୮ ଘଂଟାରେ ମଧ୍ୟରେ ଅବପାତ ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହେବ । ଅବପାତ ବର୍ତମାନ ଗୋପଳପୁରର ଦକ୍ଷିଣ ପୂର୍ବ ଦିଗରେ ୧୧୦ କିଲୋମିଟର ଦୂରରେ ଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୧୯୦ କିଲୋମିଟର ଦୂରରେ ରହିଛି । ଅବପାତ ଉତର ଓଡିଶା ଦେଇ ଗତି କରୁଥିବା ବେଳେ ଏହାର ପ୍ରଭାବରେ ଆଜି ମଧ୍ୟ ବର୍ଷା ଲାଗି ରହିବ । କଟକ, ନୟାଗଡ, ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, ବାଲେଶ୍ୱର, ଯାଜପୁର ଓ ଭଦ୍ରକରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆଜି ୯ଟା ସୁଦ୍ଧା ଭଦ୍ରକ ଚାନ୍ଦବାଲିରେ ସର୍ବାଧିକ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।