କେରଳରେ ଜଳପ୍ରଳୟ : ଗମ୍ଭୀର ରହିଛି ବନ୍ୟାସ୍ଥିତି, କେନ୍ଦ୍ରକୁ ସହାୟତା ମାଗିଲେ ମୁଖମନ୍ତ୍ରୀ

71

କନକ ବ୍ୟୁରୋ : କେରଳରେ ବନ୍ୟାସ୍ଥିତି ଏବେ ବି ଗମ୍ଭୀର ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳପ୍ରଳୟ । ଭୟଙ୍କର ବର୍ଷାରେ ମୃତ୍ୟୁସଂଖ୍ୟା ୩୮ରେ ପହଂଚିଛି । ଅଧିକାଂଶ ଅଂଚଳରେ ଘରେ ଓ ସଡକ ନଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧାର ଓ ପୁନର୍ବାସ ପାଇଁ ୮୨୦ କୋଟି ଟଙ୍କାର ସହାୟତା ରାଶି ସହ ଅତିରିକ୍ତ ୪୦୦ ଶହ କୋଟି ଦେବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାର ଶହେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବନ୍ୟାପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ଗୋଟିଏ ପଟେ ବର୍ଷା ଅନ୍ୟପଟେ ରେକର୍ଡ ସଂଖ୍ୟକ ୨୪ଟି ଡ୍ୟାମରୁ ପାଣି ଛଡାଯିବା ଯୋଗୁଁ ୪୦ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବି ବର୍ଷା ଲାଗିରହିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।


ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ଅଧା କେରଳ ବୁଡ଼ିଯାଇଥିଲା । ୫୦ହଜାରୁ ଊର୍ଧ୍ୱ ଲୋକ ବାସହରା ହୋଇଯାଇଥିଲେ । କିନ୍ତୁ ବର୍ଷା ସାମାନ୍ୟ ଛାଡ଼ିବା ଯୋଗୁ ସରକାର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟ ଜୋରଦାର ଆରମ୍ଭ ହୋଇଥିଲା । କିନ୍ତୁ କିଛି ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇଛି । ପୂର୍ବ ଭଳି ବର୍ଷା ବିଭୀଷିକା ରାଜ୍ୟବାସୀଙ୍କୁ ଡରାଇଛି । କେରଳର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁ ରିଲିଫ୍ କାର୍ୟ୍ୟ ବି ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଅନେକ ଜାଗାରେ ଭୂସ୍ଖଳନ ଘଟିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

କେରଳର ଇଡୁକି ଓ ଇଦାମଲୟାର ଜଳଭଣ୍ଡାରରେ ଜଳ ସ୍ତର ଖସିଥିବାରୁ ସ୍ଥାନୀୟ ଲୋକମାନେ କିଛିଟା ଆଶ୍ୱସ୍ତି ହୋଇଛନ୍ତି । କିନ୍ତୁ  ବର୍ଷା ପୁଣି ବଢ଼ିଥିବାରୁ ଭବିଷ୍ୟତରେ ପରିସ୍ଥିତି ଉଦ୍ବେଗଜନକ ହେବା ଆଶଙ୍କା ସୃଷ୍ଟି ହୋଇଛି । ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ହେଲିକପ୍ଟର ଯୋଗେ ରାଜ୍ୟର ବିଭିନ୍ନ ବନ୍ୟାଞ୍ଚଳ ସ୍ଥିତି ବୁଲି ଦେଖିଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ଵିତ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ବନ୍ୟାଜନିତ ସଙ୍କଟ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସରକାରଙ୍କ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି ।