ଲଘୁଚାପ ସାଙ୍ଗକୁ ମୌସୁମୀର ପ୍ରଭାବ । ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ସମ୍ଭାବନା

297

କନକ ବ୍ୟୁରୋ : ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆହୁରି ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପର ପ୍ରଭାବ ଏବଂ ମୌସୁମୀ ସକ୍ରିୟ ରହିଥିବା ଯୋଗୁଁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ପ୍ରାୟ ୨୧ ଟି ଜିଲ୍ଲାରେ ବର୍ଷା ଲାଗି ରହିବ । ଆଜି ସନ୍ଧ୍ୟା ଯାଏଁ କୋରାପୁଟ , ମାଲକାନଗିରି ଏବଂ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କଳାହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, କନ୍ଧମାଳ ଏବଂ ସୋନପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଅରେଂଜ୍ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ଦକ୍ଷିଣ ଉପକୂଳ ଓଡିଶା ସମେତ ବୌଦ୍ଧ, ଦେବଗଡ, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡରେ ବି ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ୩୧ ରାତି କିମ୍ବା ୧ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହେବ । ତେଣୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୩ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।