ଟଳିଲା ବାତ୍ୟା ଭୟ ! ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଦୁର୍ବଳ, ପ୍ରବଳ ବର୍ଷା ଆଶଙ୍କା

35

କନକ ବ୍ୟୁରୋ: ଉତ୍ତର ବଙ୍ଗୋପ ସାଗରର ଆଖପାଖରେ ଥିବା ଘୂର୍ଣ୍ଣିବଳୟ ଦିନକ ଭିତରେ ଲଘୁଚାପରୁ ଅବପାତରେ ପରିଣତ ହେବା ସହିତ ଅଧିକ ଘନୀଭୂତ ହୋଇଛି । ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ତେବେ ସମୁଦ୍ରରୁ ସ୍ଥଳଭାଗକୁ ଗତି କରିଥିବାରୁ ଏହା ଦୁର୍ବଳ ହୋଇପଡ଼ିଛି । ସେଥିଲାଗି ଏହା ବାତ୍ୟା ରୂପ ନେବା ସମ୍ଭାବନା କ୍ଷୀଣ । ଏହା ସତ୍ତ୍ୱେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଅଧିକ ରହିଥିବାରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ସୂଚନା ଅନୁଯାୟୀ, ଲଘୁଚାପ ଅବପାତରେ ପରିଣତ ହୋଇଥିଲା । ପରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବା ପରେ ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାକୁ ଗତି କରିଛି । ଏହା ବାଲେଶ୍ୱରଠାରୁ ୧୯୫ କି.ମି. ଦୂରରେ ଅଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଅବପାତଟି ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଝାଡ଼ଖଣ୍ଡ ଏବଂ ବିହାର ଆଡ଼କୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ସେହିପରି ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଧିକ । ବର୍ଷା ବ୍ୟତୀତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୪୫ରୁ ସର୍ବାଧିକ ୬୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଭିତ୍ତକରି ସତର୍କ ସୂଚନା ଜାରି କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।

ଅନ୍ୟପକ୍ଷରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୧୩/୧୪ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହୋଇପାରେ । ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ପ୍ରତ୍ୟାବର୍ତ୍ତନ କରିବାର ସମୟ ଉପନୀତ ହୋଇଥିବାରୁ ବର୍ତ୍ତମାନର ଏଭଳି ପାଣିପାଗ ବ୍ୟବସ୍ଥା ମୌସୁମୀର ଶେଷ ସ୍ପର୍ଶ ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି । ଦୀପ ଲିଭିବା ବେଳକୁ ଦପ୍ କରି ଜଳିଉଠିବା ଭଳି ମୌସୁମୀ ତା’ର ବିଦାୟ ବେଳାରେ ସାରା ରାଜ୍ୟକୁ ଭିଜାଉଛି ବୋଲି ପାଣିପାଗବିତ କହୁଛନ୍ତି । ଏଥିସହ ଆସନ୍ତା ୧୩ ତାରିଖ ବେଳକୁ ଆଉ ଗୋଟିଏ ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ନିକଟରେ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । କିନ୍ତୁ ଓଡ଼ିଶା ଉପରେ ତା’ର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ।

ସେପଟେ ମାଲକାନଗିରି କାଲିମେଳାରେ ବନ୍ୟା ପରିସ୍ଥିତି । ଉପରମୁଣ୍ଡରେ ବର୍ଷା ଯୋଗୁଁ କାଙ୍ଗୁରକୋଣ୍ଡା ପୋଲ ଉପରେ ୨ଫୁଟର ପାଣି ବହୁଛି । ଫଳରେ ମାଲକାନଗିରି- କାଲିମେଳା ଯୋଗାଯୋଗ ବିଛିନ୍ନ ହୋଇଛି । ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି ।