ବର୍ଷାରେ ଭାସିଲା ଓଡିଶା: କେଉଁଠି ଘରେ ପସିଗଲା ପାଣି ତ କେଉଁଠି ଭାସୁଛି ପୋଲ, ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରୀ ବର୍ଷିବ ୨ଦିନ

49

କନକ ବ୍ୟୁରୋ: ଗାଳୁଛି ବର୍ଷା । ଏପଟେ ଉବୁଟୁବୁ ରାଜଧାନୀ । ସେପଟେ ଭାସୁଛି କଟକ ସହର । ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଜାରି ରହିଛି । କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ସହ ଆହୁରି ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି ।

ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ସକାଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ଜମିଥିଲା ।

ସେହିପରି ଜୟଦେବ ବିହାର ଓ ଆଚାର୍ଯ୍ୟବିହାର ଅଂଚଳରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇପଡିଛି । ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଯାଇଛି । ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରରେ ଛୁଟି ଘୋଷଣା ହୋଇଛି । ସ୍କୁଲ ଓ କଲେଜ୍ ଛୁଟି ନେଇ ଏସଆରସି ବିଷ୍ଣୁପଦ ସେଠୀ ଘୋଷଣା କରିଛନ୍ତି । ଆଜି ଓ କାଲି ଅର୍ଥାତ୍ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଥିଲା ଆଂଚଳିକ ପାଣିପାଗ ବିଭାଗ ।

ସେପଟେ କଟକରେ ମଧ୍ୟ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇପଡିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନର୍ଦ୍ଦମା ପାଣିର ସୁଅ ଛୁଟୁଛି । ରୋଭର ଷ୍ଟ୍ରୀଟ୍, ସୂତାହାଟ, ପଟାପୋଲ, ରାଣୀହାଟ ଓ ଖଟବିନ୍ ସାହି ଇତ୍ୟାଦି ଅଂଚଳ ଜଳମଗ୍ନ ହୋଇପଡିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ସିଏମସି ପକ୍ଷରୁ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ ।
ଲଘୁଚାପ ବର୍ଷାରେ ପୁରୀ ବଡଦାଣ୍ଡରେ ଆଣ୍ଠୁଏ ପାଣି ଜମିରହିଛି । ସେପଟେ ଶରଧାବାଲିରେ ମଧ୍ୟ ଚାଲିଛି ପାଣିର ସୁଅ ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି । ସେପଟେ ପ୍ରଶାସନ ଆସନ୍ତା ୨୪ତାରିଖରେ ବନ୍ୟାଜଳ ଛାଡିବା ନେଇ ନିଷ୍ପତି ନେଇଛି ।

ସେହିପରି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ବି ପ୍ରବଳ ବର୍ଷା ଜାରି ରହିଛି । ଫଳରେ କୋଟଗଡ ଠାରୁ ଶ୍ରୀରାମପୁର ଓ ସୁବର୍ଣ୍ଣଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଧୋଇଯାଇଛି । ରାସ୍ତା ଭାସିଯିବା ଯୋଗୁଁ ଯାତାୟତ ବନ୍ଦ ରହିଛି । ଏପରିକି କିଛି ଗାଡି ମଧ୍ୟ ସେଠାରେ ପାଣିରେ ଭସିରହିଛି । ଜେସିବି ଦ୍ୱାରା ଗାଡି ଉଦ୍ଧାର କରାଯାଇଛି ।

ସେପଟେ ନିମ୍ନମାନର କାମ ଯୋଗୁୁଁ ପିଡବ୍ଲୁଡି ଓ ଆରକେଡି ଦ୍ୱାରା ନିର୍ମିତ ରାସ୍ତା ଭୁଶୁଡି ଯାଇଥିବା ଅଭିଯୋଗ ହୋଇଛି । ସେପଟେ ତୁମୁଡିବନ୍ଧ-ରାମପୁର ୫୯ନମ୍ବର ଜାତୀୟ ରାଜପଥରେ ପାଣି ଜମି ରହିଥିବା ଯୋଗୁଁ ଯାତାୟତ ବନ୍ଦ ରହିଛି ।

ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଟ୍ରାକ ନଷ୍ଟ ହୋଇଛି । ଫଳରେ ହୀରାଖଣ୍ଡ ସମେତ ଅନେକ ଟ୍ରେନ ଅଟକି ରହିଛି । ସେହିପରି ରାୟଗଡା କଲ୍ୟାଣସିଂହପୁର ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବୋଲି ଜଣାପଡିଛି ।

ସେପଟେ ମାଲକାନଗିରିରେ ବି ପ୍ରବଳ ବର୍ଷା ଲାଗିରହିଛି । ଜୟପୁର-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି ।

କଳାହାଣ୍ଡିରେ ବି ଲାଗିରହିଛି ପ୍ରବଳ ବର୍ଷା । ଜୟପାଟଣା ଅଂଚଳରେ ହାତୀ ଓ ଇନ୍ଦ୍ରାବତି ନଦୀରେ ଜଳସ୍ତର ବଢିଛି । ବିଭିନ୍ନ ତଳି ଅଂଚଳ ଗାଁରେ ପଶିଲା ବନ୍ୟାଜଳ ।

ସେହିପରି ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଉପକୂଳ ଅସ୍ତରଙ୍ଗ ଅଂଚଳ ଜଳମଗ୍ନ ହୋଇପଡିଛି । ସମୁଦ୍ରରେ ଅଶାନ୍ତ ଥିବା ବେଳେ ପ୍ରାୟ ୩ଫୁଟ ଉଚ୍ଚର ଜୁଆର ଉଠୁଛି ।