ପୁଣି ଆସୁଛି ବର୍ଷା: ଆସନ୍ତା ୧୬ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୧୭ରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

405

କନକ ବ୍ୟୁରୋ : ଘନିଭୂତ ହେବାରେ ଲାଗିଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଆସନ୍ତା ୧୬ ତାରିଖରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେହିପରି ଲଘୁଚାପ କାରଣରୁ ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ସାମାନ୍ୟ ଧରଣର ବର୍ଷା ଆଶଙ୍କା ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସୂଚନା ମୁତାବକ,  ଚେନ୍ନାଇଠାରୁ ୯୩୦ କିଲୋମିଟର ଦୂରରେ ଏହି ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଯାହା ଆସନ୍ତା ୨୪ ଘଂଟା ଭିତରେ ଘୂର୍ଣ୍ଣିଝଡର ରୂପ ନେବାର ସମ୍ଭାବନା ରହିଛି ।ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ସହ ୧୬ରୁ ସାରା ରାଜ୍ୟରେ କୋହଲା ପାଗ ସହ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ୧୭ରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ଏଥିସହିତ ୧୮ରୁ ରାଜ୍ୟର କିଛି ଅଂଚଳରେ ସ୍ୱଳ୍ପ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଭାରତୀୟ ପାଣିବାଗ ବିଭାଗର ଆକଳନ ଅନୁଯାୟୀ, ୧୪ ତାରିଖ ସକଳା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଏହି ସମୟରେ ଘଂଟା ପ୍ରତି ୭୫ କିଲୋମିଟର ବେଗରେ ପବନ ବହିପାରେ ।  ପୂର୍ବାହ୍ଣ ବେଳକୁ ତାହା ବାତ୍ୟାର ରୂପ ନେଇ ଧୀରେ ଧୀରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେବ। ୧୫ ତାରିଖ ରାତିରେ ଭୀଷଣ ବାତ୍ୟାରେ ପରିଣତ ହେବ। ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ହେବାର ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୫ ତାରିଖଠାରୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରିରେ ବି ବାତ୍ୟାର ପ୍ରଭାବ ପଡ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛି ଭାରତୀୟ ପାଣିପାଗ ବିଭାଗ। ୧୬ ତାରିଖ ପର‌୍ୟ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।