ବାତ୍ୟା ଆସିବନି, କିନ୍ତୁ ବର୍ଷା ଛେଚିବ । ୮ ଅପରାହ୍ନରୁ ନିର୍ଦ୍ଧୁମ ଛେଚିବ, ୧୦ ଜିଲ୍ଲାକୁ ସତର୍କ ସୂଚନା । ବୁଲବୁଲର ଲ୍ୟାଣ୍ଡଫଲ ବେଳେ ୯୦ କିଲୋମିଟର ବେଗରେ ବହିବ ପବନ

4,220

କନକ ବ୍ୟୁରୋ : ବାତ୍ୟା ବୁଲବୁଲ୍ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବନି କିନ୍ତୁ ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଉ ଏଭଳି ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ହେବାକୁ ଥିବା ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ୨ଟି ଲେଖାଏଁ ଓଡ଼୍ରାଫ୍ ଟିମ୍ ମୁତୟନ କରାଯାଇଛି । । ଅଧିକ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ୮ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହେବା ସହ ଲଗାତାର ଦୁଇଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ଡେପୁଟି ଏସଆରସି ।

ଘଣ୍ଟାକୁ ୨୧ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ବୁଲବୁଲ । ପାଣିପାଗ ବିଭାଗର ଆକଳନ ଅନୁସାରେ ପ୍ରାଥିମକ ପର୍ଯ୍ୟାୟରେ ଏହା ଉତର-ଉତରପଶ୍ଚିମ ଦିଗରେ ଗତି କରିବ ଏବଂ ପରେ ଉତର ମୁହାଁ ହେବାର ସଂଭାବନା ରହିଛି । ଫଳରେ ବାତ୍ୟାର ଗତିପଥ ପଶ୍ଚିମବଙ୍ଗ ହୋଇ ବାଂଲାଦେଶ ଆଡ଼କୁ ମୁହାଁଇବ । ତେବେ ସାମୁଦ୍ରିକ ଝଡ଼ ‘ବୁଲବୁଲ’ ଆଗାମୀ ୨୪ ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭିଷଣ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି ।