କାଶ୍ମୀରରେ ପ୍ରବଳ ବର୍ଷା ହେବାରୁ ଅମରନାଥ ଯାତ୍ରାକୁ କିଛି ଦିନ ଲାଗି ବନ୍ଦ କରିବା ପାଇଁ ନିଷ୍ପତ୍ତି ! ପାଗ ବଦଳିଲେ ପୁଣି ଆରମ୍ଭ ହେବ ଯାତ୍ରା ।

25

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ମୈାସୁମୀ ଜନିତ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅମରନାଥ ଯାତ୍ରାରେ ଥିବା ଭକ୍ତଙ୍କୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଅମରନାଥ ରାସ୍ତାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।

୨୮ ଜୁନ ଅମରନାଥ ଯାତ୍ରା ଆରମ୍ଭ ହେବା ଦିନଠାରୁ ହିଁ ପ୍ରବଳ ବର୍ଷା ହେଉଛି । ଫଳରେ ରାସ୍ତା ଗୁଡିକର ଅଧିକାଂଶ ସ୍ଥାନ ଖରାପ ହେଇଛି । ତେଣୁ ଅଧାବାଟରେ ହିଁ ଯାତ୍ରୀଙ୍କୁ ଅଟକାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ରିର୍ପୋଟରୁ ଜଣାପଡିଛି ଯେ, ପବିତ୍ର ଗୁମ୍ଫା ନିକଟରେ ପାଖାପାଖି ୧୦୦ ମିଟର ରାସ୍ତା ପାଣିରେ ଧୋଇଯାଇଛି । ଏହା ସହ ଛୋଟ ଛୋଟ ପୋଲ ଗୁଡିକ ମଧ୍ୟ ଧୋଇଯାଇଛି । ଏ ପର୍ଯ୍ୟନ୍ତ ମାତ୍ର ୧୦୦୭ ଜଣ ଶ୍ରଦ୍ଧାଳୁ ପ୍ରଭୁ ଅମରନାଥଙ୍କ ବରଫରେ ଆଚ୍ଛାଦିତ ହୋଇଥିବା ଶିବଲିଙ୍ଗକୁ ଦର୍ଶନ କରିଛନ୍ତି ।

ଏତେ ମାତ୍ରାରେ ବର୍ଷା ହେଉଥିବା ସହ ଆତଙ୍କବାଦୀ ଆକ୍ରମଣ ଡରକୁ ଶ୍ରଦ୍ଧାଳୁଙ୍କ ମନରେ କିଛି ବି ପ୍ରଭାବ ପକାଇପାରି ନାହିଁ । ସୂଚନା ଅନୁସାରେ ମାତ୍ର ୬୦ ଦିନ ହେବାକୁ ଥିବା ଏହି ଯାତ୍ରାରେ ଯୋଗଦେବା ଲାଗି ପାଖାପାଖି ୨ ଲକ୍ଷ ଶ୍ରଦ୍ଧାଳୁ ନିଜର ନାମ ରେଜିଷ୍ଟ୍ରେସନ କରିସାରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆସନ୍ତା ଅଗଷ୍ଟ ୨୬ ରେ ଅମରନାଥ ଯାତ୍ରାର ସମାପନ ହେବ ।