ଉତ୍ତର-ପଶ୍ଚିମ ଭାରତରେ ଝଡତୋଫାନର ତାଣ୍ଡବ ! ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରେ ୩୫ରୁ ଅଧିକ ମୃତ, ବ୍ୟାପକ ଫସଲ ହାନୀ ।

174

କନକ ବ୍ୟୁରୋ : କଡ ଲେଉଟାଇଛି ପାଣିପାଗ । ଗରମ ଦିନରେ ଉତ୍ତରପଶ୍ଚିମ ଭାରତରେ ଦେଇଛି ଥଣ୍ଡାର ଅନୁଭବ । ଆରବ ସାଗର ଓ ବଙ୍ଗୋପସାଗରରୁ ଆସିଥିବା ବାୟୁର ଟକ୍କରରୁ ଉତ୍ତର-ପଶ୍ଚିମ ଭାରତରେ ଝଡ ତୋଫାନ ହୋଇଛି । ଆଉ ଏଥିରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ ଫସଲ ହାନୀ ହୋଇଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଉତ୍ତର ଓ ପଶ୍ଚିମ ଭାରତରେ କାଳ ବୈଶାଖୀର ତାଣ୍ଡବ । ପ୍ରବଳ ଝଡତୋଫାନରେ ବିଭିନ୍ନ ରାଜ୍ୟରେ ୩୫ରୁ ଅଧିକ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଗତକାଲି ଅପରାହ୍ନରୁ ସଂଧ୍ୟାରେ ପ୍ରବଳ ଝଡ-ତୋଫାନ ସହ କୁଆପଥର ମାଡ ହୋଇଛି । ଏଥିରେ ରାଜସ୍ଥାନରେ ୯ , ଗୁଜୁରାଟରେ ୯ ଜଣ ଓ ମଧ୍ୟପ୍ରଦେଶରେ ୧୩ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୟୁପି ଓ ମେଘାଳୟ ସମେତ ଉତ୍ତର-ପଶ୍ଚିମ ଭାରତର ବହୁ ଅଂଚଳରେ ଝଡତୋଫାନ ସହ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନୀ ହୋଇଥିବା ସୂଚନା ମିଳିଛି ।

ଝଡତୋଫାନର ପ୍ରଭାବ ନିର୍ବାଚନ ପ୍ରଚାର ଉପରେ ବି ପଡିଛି । ଗୁଜରାଟର ସାବରକାଣ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି ହେବାର ଥିଲା । ହେଲେ ଝଡ ତୋଫାନରେ ରାଲି ପାଇଁ ପ୍ରସ୍ତୁତ ହୋଇଥିବା ମଂଚକୁ ଉଡାଇ ନେଇଛି ପବନ । ସେପଟେ ଝଡତୋଫାନରେ ମୃତାହତଙ୍କ ପାଇଁ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ପ୍ରଥମେ ମୋଦି ଗୁଜରାଟର ମୃତାହତଙ୍କ ପାଇଁ ସହାୟତା ଘୋଷଣା କରିଥିବାରୁ କାଉଁଟର ଆଟାକ କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଟ୍ୱିଟ୍ କରି ଲେଖିଥିଲେ, ପ୍ରଧାନମନ୍ତ୍ରୀ ସାରା ଦେଶର, ସେ କେବଳ ଗୁଜରାଟର ନୁହଁନ୍ତି ।

ଆଗକୁ ମଧ୍ୟ ଦେଶର ଅଧିକାଂଶ ସ୍ଥାନରେ ଝଡ-ତୋଫାନର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏହି ସମୟରେ ଘଂଟାପ୍ରତି ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଝଡ ତୋଫାନ ତାଣ୍ଡବ କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ପାକିସ୍ତାନ ଅଧିକୃତ ପଞ୍ଜାବ ଓ ସିନ୍ଧ ପ୍ରାନ୍ତରେ ୩୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କାଳବୈଶାଖୀର ଏହି ତାଣ୍ଡବରେ ୧୩୫ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।