୧୯୯୯ ମହାବାତ୍ୟା ଓ ଫାଇଲିନକୁ ଟପିଗଲା ବର୍ଷା ପରିମାଣ ! ଆଜି ସମ୍ବଲପୁର ଓ ସୋନପୁରରେ ହୋଇଛି ସବୁଠୁ ଅଧିକ ବର୍ଷା, ଅସ୍ତବ୍ୟସ୍ତ ହେଲା ଜନଜୀବନ ।

30

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଗତକାଲି ଉପକୂଳ ଓଡିଶାର ଭୁବନେଶ୍ୱର, ପୁରୀ ଓ କଟକରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଆଜି  ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ବେହାଲ ପରିସ୍ଥିତି ସୃଷ୍ଟି କରିଛି । ବହୁ ଅଂଚଳ ଜଳବନ୍ଦୀ ହୋଇଥିବା ବେଳେ ସହର ରାଜରାସ୍ତାରେ ଛୁଟୁଛି ବର୍ଷାପାଣିର ସୁଅ । ପାଣି ଘେରରେ ସମ୍ବଲପୁରର କ୍ଷେତରାଜପୁର ଅଂଚଳ । ସ୍ଥାନୀୟ ଅଂଚଳର ପ୍ରାୟ ତିନିଶହ ପରିବାର ଏବେ ଜଳବନ୍ଦୀ । ଲଗାଣ ବର୍ଷା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଂଟାରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି । ସମ୍ବଲପୁରର ମୁଖ୍ୟ ରାସ୍ତା ଗୁଡିକରେ ପ୍ରାୟ ୧ ଫୁଟ ଜଳ ପ୍ରବାହିତ ହେଉଛି । ସହରର କ୍ଷେତରାଜପୁର, ଏନଙ୍ଗୁଆ, ମୁଦିପଡା, ହାଉସିଂ ବୋର୍ଡ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ରନ୍ଧାଖାଦ୍ୟ ଦିଆଯାଇଛି ।

ବରଗଡରେ ଘର ଭିତରେ ପଶିଛି ବର୍ଷାଜଳ । ଆଂଠୁଏ ଆଂଠୁଏ ପାଣିରେ ବେହାଲ ଅବସ୍ଥା । ସେପଟେ ଅନେକ ମାଟି ଘର ଭାଙ୍ଗି ପଡିଛି । ଫଳରେ ବିଶିପଡା, ଖଜୁରିଟିକ୍ରା, ମଙ୍ଗଳାପଡା ପରି ତଳିଆ ଅଂଚଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ କନ୍ଧମାଳରେ ଲଗାଣ ବର୍ଷା ଯୋଗୁଁ ସେହି ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଖଡଗ ନଦୀ, ରାହୁଲ ନଦୀ, ଚାଉଳଧୂଆ ନଦୀ, ତେଲ ନଦୀ ଭଳି ଛୋଟବଡ ନଦୀ ଗୁଡିକରେ ଜଳସ୍ତର ବଢୁଛି । ତୁମୁଡିବନ୍ଧ ଜଳେଶ୍ୱର ମନ୍ଦିର ବର୍ଷାପାଣିରେ ବୁଡି ଯାଇଥିବା ବେଳେ କେବଳ ଉପରମୁଣ୍ଡ ଦେଖାଯାଉଛି । ବାଲିଗୁଡା-ତୁମୁଡିବନ୍ଧ ଦେଇଯାଇଥିବା ୫୯ନମ୍ବର ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ୨ଟି କଲଭର୍ଟ ଧୋଇ ହୋଇଯିବାରୁ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା ।

ସେପଟେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଜନଜୀବନ । କୁଣ୍ଡେଶ୍ୱର ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ୧୦ଟି ପରିବାରର ୪୦ ଜଣ ସଦସ୍ୟ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳରେ ପହଂଚିଛନ୍ତି । କେଉଟଜଙ୍ଗା ନିକଟରେ କାଦୁଆ ନଦୀର ରିଙ୍ଗ ବନ୍ଧ ୧୦୦ ଫୁଟ ଧସିପଡିଛି । ସେପଟେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ଦୁଇ ଦିନର ଲଗାଣ ବର୍ଷା ବହୁ ଅଂଚଳକୁ ବୁଡାଇ ଦେଇଛି ।  ବ୍ରହ୍ମଗିରି ବ୍ଲକର ୨୫ଟି ପଂଚାୟତ ଏବେ ଜଳବନ୍ଦୀ । ଅନ୍ୟପଟେ ଉପକୂଳର ଗାଁରେ ପସିଛି ଜୁଆର ପାଣି । ସେହିପରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସତ୍ୟବାଦୀ ଅଂଚଳ ବର୍ଷାଜଳରେ ଉବୁଟୁବୁ ।  ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ନ୍ୟୁ ମାର୍କେଟ କମ୍ପେ୍ଲକ୍ସ କଲୋନୀରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଖପାଖ ଗ୍ରାମ କାଞ୍ଜିଆ, ଉଆଁସଡିହ, ବଡ କାଞ୍ଜିଆ, ଜୟପୁର, ମହାମାୟା ସାହି, ବାସୁକେରା, ଅହମ୍ମଦପୁର ଆଦି ଗ୍ରାମ ଜଳଘେରରେ ରହିଛି ।

ତେବେ ଚଳିତ ଲଘୁଚାପ ଜନିତ ବର୍ଷା ସମସ୍ତ ରେକର୍ଡ ଭାଙ୍ଗିଛି । ଏପରିକି ଏହାର ପରିମାଣ ୧୯୯୯ ମହାବାତ୍ୟା, ୨୦୧୩ର ଫାଇଲିନଠୁ ବି ବେଶ୍ ଅଧିକ । ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ମହାବାତ୍ୟା ସମୟରେ ଅକ୍ଟୋବର ୩୦ ତାରିଖରେ ୨୧୩ ମିଲିମିଟର ହୋଇଥିବା ବେଳେ ଫାଇଲିନରେ ଏଠାରେ ୨୧୫ ମିିମି ବର୍ଷା ରେକର୍ଡ କରାଯାଇଛି । କିନ୍ତୁ ଗତକାଲି ଏଠାରେ ସର୍ବାଧିକ ୨୫୫ ମିଲିମିଟର ବର୍ଷା ହୋଇଛି । ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗଠାରେ ୧୯୯୯ ଅକ୍ଟୋବର ୩୦ ତାରିଖରେ ୨୨୮ ମିମି ଏବଂ ଫାଇଲିନ ସମୟରେ ୧୬୦ ମିିମି ବର୍ଷା ରେକର୍ଡ କରାଯାଇଥିଲା । ଗତକାଲି ଡେଲାଙ୍ଗ ଅଂଚଳରେ ୨୪୫ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି । ପୁରୀ ସହରରେ ମହାବାତ୍ୟା ସମୟରେ ୨୪୨ ମିଲିମିଟର ବର୍ଷା ହୋଇଥିବା ବେଳେ ଫାଇଲିନ୍ ବେଳେ ଏହା ୧୩୦ ମିଲିମିଟର ଛୁଇଁଥିଲା । କିନ୍ତୁ ଗତକାଲି ଏଠାରେ ରେକର୍ଡ ପରିମାଣ ୩୨୨ ମିଲିମିଟର ବର୍ଷା ହୋଇଛି । ଚଳିତ ବର୍ଷା ଫଳରେ ଜୁଲାଇ ମାସରେ ୫୭ ଦଶମିକ ୬ ପ୍ରତିଶତ ବର୍ଷା ଅଧିକ ହୋଇଥିବା ଜଣାପଡିଛି ।