ଲଗାଣ ବର୍ଷାରେ ଭାସିଲା ପୁରୀ ବଡଦାଣ୍ଡ : ବୁଡିଲା ରଥଚକ, ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

75

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ପୁରୀ ବଡଦାଣ୍ଡରେ ଆଣ୍ଠୁଏ ପାଣି ଜମିରହିଛି ।  ଶରଧାବାଲିରେ ମଧ୍ୟ ଚାଲିଛି ପାଣିର ସୁଅ । ପ୍ରବଳ ବର୍ଷରେ ପୁରୀ ସହରର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ଆସନ୍ତାକାଲି ମହାବାହୁଙ୍କର ବାହୁଡ଼ା ଯାତ୍ରା । ମାତ୍ର ପ୍ରବଳ ବର୍ଷାରେ ବଡ଼ଦାଣ୍ଡରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି । ବଡ଼ଦାଣ୍ଡର ନାକଚଣା ଦ୍ୱାର ନିକଟରେ ପାଣି ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ ।

ଉତ୍ତରପଶ୍ଚିମବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ପୁରୀରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି । ସମୁଦ୍ର ଅଶାନ୍ତ ରହିଥିବାରୁ ବଡ଼ ବଡ଼ ଜୁଆରମାନ ଉଠୁଛି । କେବଳ ସେତିକି ନୁହେଁ, ଲଗାଣ ବର୍ଷା ଯୋଗୁଁ ପୁରୀରେ ମଧ୍ୟ ଲୋକଙ୍କ ଘର ଭିତରେ ପାଣି ପଶିଛି । ସହରର ସମସ୍ତ ଦୋକାନବଜାର ବନ୍ଦ ଥିବା ବେଳେ ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସିଦ୍ଧ ମହାବୀର ପାଟଣା, ଶରଧାବାଲି, ରାମଚଣ୍ଡି ସାହି ବାଲିକୁଦ ବସ୍ତି, ବଳିଆପଣ୍ଡା ବସ୍ତି, ମାରୁତିନଗର, ଚୁଡ଼ଙ୍ଗ ସାହି ପ୍ରଭୃତି ଅଞ୍ଚଳ ପାଣିରେ ବୁଡ଼ିଛି ।

ସେପଟେ ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ଓ ରାଜ୍ୟର ସଂସ୍କୃତିକ ରାଜଧାନୀ କଟକର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି । ଅର୍ନଗଳ ବର୍ଷାରେ ରାଜଧାନୀ ଓ କଟକର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଏହି ଦୁଇଟି ସହରର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତିି ଏସଆରସି ବିଷ୍ଣୁପଦ ସେଠୀ ।