ଆସନ୍ତା ୨ରୁ ରାଜ୍ୟରେ ବଢ଼ିବ ବର୍ଷା : ୪ ଦିନ ଧରି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

339

କନକ ବ୍ୟୁରୋ : ଅଗଷ୍ଟ ୪ରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ । ପ୍ରଭାବରେ ୨ ତାରିଖଠାରୁ ଓଡ଼ିଶାରେ ବର୍ଷା ବଢ଼ିବ । ୪ ଦିନ ଧରି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩ ଓ ୪ ତାରିଖ ପାଇଁ ଆଜିଠାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ରହିଲା ।

ତେଣୁ ଜୁଲାଇ ୩୧ରେ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା ହୋଇପାରିନି । ତେବେ ୪ ତାରିଖ ‌ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ପ୍ରଭାବରେ ଓଡ଼ିଶା ଓ ଏହା ସଂଲଗ୍ନ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ। କୋରାପୁଟ, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ର କେତେକ ସ୍ଥାନରେ ୨ ତାରିଖଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ।

ପରବର୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଯଥା ପୁରୀ, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବର୍ଷା ବଢ଼ିବ ବୋଲି ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ବଡ଼ ବର୍ଷାର ସମ୍ଭାବନା ନାହିଁ । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ୩୧ ତାରିଖରେ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

ଅଗଷ୍ଟ ୧ରେ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି । ଗତ ୧୨ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୦ ମିମି ବର୍ଷା ହୋଇଛି । ବାଲେଶ୍ବର, ଚାନ୍ଦବାଲି, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରିରେ ସ୍ପଳ୍ପ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।