ରାଜଧାନୀରେ ତୁହାକୁ ତୁହା ବର୍ଷା ! ରାସ୍ତା ଉପରେ ଲହଡି ଭାଙ୍ଗୁଛି ଆଂଣ୍ଠୁଏ ଉଚ୍ଚର ପାଣି

37

କନକ ବ୍ୟୁରୋ : ବାତ୍ୟା ତିିତଲି ପ୍ରଭାବରେ ଭୁବନେଶ୍ୱର ଦୁଇ ଦିନ ହେଲା ଲାଗି ରହିଛି ପ୍ରବଳ ବର୍ଷା । ଗତକାଲି ଦିନ ତମାମ ବର୍ଷା ଲାଗିରହିଥିଲା । ତେବେ ସନ୍ଧ୍ୟା ପରେ ଏହି ବର୍ଷାର ପରିମାଣ ବଢ଼ିଥିଲା । ଆଜି ସକାଳୁ ସକାଳୁ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ଯାହାଦ୍ୱାରା କେତେକ ଅଂଚଳରେ ପୁଣି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଂଣ୍ଠୁଏ ଉଚ୍ଚର ପାଣି ଲହଡି ଭାଙ୍ଗିଛି । ଯାତାୟତ ମୁସକିଲ ହୋଇପଡିଛି । ଆଜି ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆଜି ରାଜଧାନୀରେ କେତେ ପରିମାଣରେ ବର୍ଷା ହେବ ତା ଉପରେ ନଜର ରହିଛି ।

ସେପଟେ କଟକରେ ମଧ୍ୟ ବର୍ଷା ଲାଗି ରହିଛି । ଗତ ରାତିରୁ ଆରମ୍ଭ ହୋଇଥିବା ବର୍ଷାର ପରିମାଣ ଆଜି ସକାଳେ ଆହୁରି ବଢିଛି । ପ୍ରବଳ ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ପଶିଛି । ଘରେ ଘରେ ପାଣି ପଶି ବାସନକୁସନ ଭସେଇ ନେଉଥିବା ଦୃଶ୍ୟ କଟକରେ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ କଟକ ତଳି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ତିତଲି ପ୍ରଭାବରେ ଆଜି ସାରା ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୫ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଦିନ ୧୧ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳ ବର୍ଷା ହେବ । ସେହିପରି ଅନୁଗୁଳ ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ସୁନ୍ଦରଗଡ ଓ ଦେବଗଡରେ ଭୀଷଣ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।