ଲଗାଣ ବର୍ଷାରେ କଳାହାଣ୍ଡି, ସୁବର୍ଣ୍ଣପୁର ଏବଂ ନୂଆପଡ଼ା ବେହାଲ : ଶୈବପୀଠରେ ଫସିଥିବା ଭକ୍ତଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ

22

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି, ନୂଆପଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏ ଅଞ୍ଚଳରେ ଥିବା ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ତେଲନଦୀର ଜଳସ୍ତର ୨୦୫.୮୫ ମିଟର, ଜୁନାଗଡ଼ ଠାରେ ହାତୀ ନଦୀର ଜଳସ୍ତର ୨୦୭.୬୩୩ ମିଟର ଥିଲା। ଲେତେର ଠାରେ ଉଦନ୍ତୀ ନଦୀର ଜଳସ୍ତର ୨୦୬.୯ମିଟର ଥିବା ଜଳସେଚନ ବିଭାଗ ସୂତ୍ରରୁ ପ୍ରକାଶ। ବର୍ଷା ଯୋଗୁଁ ଇନ୍ଦ୍ରାବତୀ, ହାତୀ, ତେଲ, ଶଗଡ଼ା, ଉଦନ୍ତୀ, ବଂଶଧାରା, ନାଗାବଳୀ, ଉତ୍ତେଇ, ରାହୁଲ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ପାଣି ଅନେକଙ୍କ ଘର ଭିତରକୁ ପଶି ଯାଇଛି। ନଦୀ କୂଳିଆ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇ ବ୍ୟାପକ ଫସଲ ହାନି ଘଟିଥିବା ସୂଚନା ମିଳିଛି। ଅନେକ ସ୍ଥାନରେ ପୋଲ ଉପରେ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ୍ ଅଞ୍ଚଳରେ ବହୁ ଘର ଭାଙ୍ଗି ଯାଇଛି। ଗୋଲାମୁଣ୍ଡା ବ୍ଲକରେ ୫୦ ଘର, କର୍ଲାମୁଣ୍ଡା ୨୩ ଘର, କେସିଙ୍ଗା ଅଞ୍ଚଳରେ ୩୭ ଘର ଭାଙ୍ଗିଥିବା ସୂଚନା ମିଳିଛି। ତେଲ ଓ ଉତେଇ ନଦୀ ସଙ୍ଗମ ସ୍ଥଳରେ ଥିବା ପ୍ରସିଦ୍ଧ ବେଲଖଣ୍ଡି ଶୈବପୀଠରେ ସୋମବାର ଫସି ଯାଇଥିବା ୭ଜଣ ଭକ୍ତଙ୍କୁ କେସିଙ୍ଗା ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି।

 

ନୂଆପଡ଼ା ଜିଲ୍ଲାରେ ପତୋରା ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ୩ଟି ଗେଟ ଖୋଲା ଯାଇଛି। ଜୋଙ୍କ ନଦୀର ସାରାବଙ୍ଗ ପୋଲ ଉପରେ ୩ ଫୁଟ ବନ୍ୟାପାଣି ପ୍ରବାହିତ ହେଉଛି। ଏଠାରେ ରବିବାର ରାତିରେ ପାଣି ସ୍ରୋତରେ ବାଇକ ସହ ୨ ଜଣ ଯୁବକ ଭାସି ଯାଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ଛତିଶଗଡ଼ ସୀମାନ୍ତ ଖଲନା ନଦୀର ବ୍ରିଜ ପାଖାପାଖି ପାଣି ପ୍ରବାହିତ ହେଉଥିବାରୁ ସେଠାରେ ସ୍ଥିତି ବିପଦପୂର୍ଣ୍ଣ ରହିଛି। ତେଲ ନଦୀ ବନ୍ୟା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ମଧ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। କଣ୍ଟାମାଲ-ଖୁଣ୍ଟିଗୁଡ଼ାକୁ ସଂଯୋଗ କରୁଥିବା ୪୧ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ରାସ୍ତା ଉପରେ ୫ଫୁଟ ପାଣି ପ୍ରବାହିତ ହେଉଛି। ଚାଷଜମିର କ୍ଷୟକ୍ଷତି, ଫସଲ ନଷ୍ଟ ସମ୍ବନ୍ଧୀୟ ସଠିକ୍ ତଥ୍ୟ ଏଯାଏଁ ପ୍ରଶାସନ ପାଖରେ ପହଞ୍ଚି ନାହିଁ।