ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । ଏମଭି-୧୧, କୋରୁକୁଣ୍ଡା ପର୍ଲାକୋଟା ପୋଲ ଉପରେ ୫ରୁ ୭ଫୁଟର ପାଣି, ଗୁରୁପ୍ରିୟା ସେତୁ ଛୁଇଁବ ବନ୍ୟା ଜଳ

50

କନକ ବ୍ୟୁରୋ : ବେହାଲ ମାଲକାନଗିରି । ଏମଭି-୧୧, କୋରୁକୁଣ୍ଡା ପର୍ଲାକୋଟା ପୋଲ ଉପରେ ୫ରୁ ୭ ଫୁଟ୍ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି । ମାଲକାନଗିରି- ବାଲିମେଳା ଯୋଗାଯୋଗା ବିଛିନ୍ନ ହୋଇଛି । ମୋଟେରୁ ଡାଙ୍ଗରୁକୋଣ୍ଡାଠାରେ ପୋଲ ଉପରେ ପ୍ରାୟ ୧୦ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ଗାଁ ଭିତରେ ବନ୍ୟା ପାଣି ପଶିଛି ଏବଂ ମୋଟେରୁ ଗାଁର ପ୍ରାୟ ୪୦ଟି ଘର ଜଳବନ୍ଦୀ ହୋଇ ରହିଛନ୍ତି । ସେମାନେ ସ୍ଥାନୀୟ ପଂଚାୟତଘରେ ଆଶ୍ରୟ ନେଇଛନ୍ତି । ମାଲକାନଗିରି – ମୋଟୁ ଯୋଗାଯୋଗ ବିଛିନ୍ନ ହୋଇଛି । ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ମଧ୍ୟ ବଢି ଚାଲିଛି ।

 

ସେପଟେ ପୁଣି ସଙ୍କଟରେ ଗୁରୁପ୍ରିୟା ସେତୁ । ବାଲିମେଳା ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ଗୁରୁପ୍ରିୟା ସେତୁ ପ୍ରତି ପୁଣି ବିପଦ ସୃଷ୍ଟି ହୋଇଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫ଶହ ୧୬ଫୁଟ ଥିବାବେଳେ ଏହାଏବେ ୧୫ଶହ ୧୫ଦଶମିକ ଶୂନ ଦୁଇ ଫୁଟରେ ପହଁଚିଛି । ଫଳରେ ବ୍ରିଜ୍ର ବେରିଙ୍ଗ୍ ଓ ଷ୍ଟିଲ ଗାର୍ଡର ପ୍ରତି କ୍ଷତି ପହଁଚାଇବାର ଆଶଙ୍କା କରାଯାଉଛି । ସେତୁଠୁ ମାତ୍ର ୨ ଫୁଟ ତଳେ ରହିଛି ଜଳସ୍ତର । ବାଲିମେଳା ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସନ ପାଇଁ ୨ଟି ଗେଟ୍ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି ।

 

ସେପଟେ ଲଘୁଚାପ ପ୍ରଭାବରେ କୋରାପୁଟ ଜୟପୁରରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ କୋଲାବ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଡ୍ୟାମର ଜଳସ୍ତର ବଢ଼ୁଥିବାରୁ ୨ଟି ଗେଟ୍ ଦେଇ ଛଡାଯାଉଛି । ୫ନମ୍ବର ଓ ୬ନମ୍ବର ଗେଟ୍ ଦେଇ ବନ୍ୟା ଜଳ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ।