ଲଘୁଚାପ ବର୍ଷା ପରେ କେନ୍ଦୁଝର ହାଟଡିହି ବ୍ଲକରେ ପାଣିରେ ବୁଡିଲା ୫୦ ଘର : ପ୍ରତିବାଦରେ ରାସ୍ତାରେ ପଥର ରଖି ଲୋକଙ୍କ ପ୍ରତିବାଦ

338

କନକ ବ୍ୟୁରୋ : ଗାଁ ଦାଣ୍ଡରେ ପାଣି, ଘରେ ପାଣି । ଯେଉଁଟି ପାଦ ପକାଇବେ ଆଣ୍ଠୁଏ ପାଣି । ଆଉ ଏମିତି ପାଣି ଭିତରେ ଫସି ରହିଛି ପୁରା ଅଂଚଳ । ଲଘୁଚାପ ଜନିତ ବର୍ଷା ପରେ ଗାଁରେ ପଶିଛି ପାଣି । ସ୍ଥିତି ଏବେ ଏମିତି ହୋଇଛି ଘର ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଜଳବନ୍ଦୀର ଏହି ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଶାସଙ୍ଗ ପଂଚାୟତର ଛେନାପଦି ଗଳିଗୋପାଳପୁର ଗାଁର । ଗତକାଲି ରାତିରେ ଲଘୁଚାପ ବର୍ଷା ପରେ ପରେ ୫୦ରୁ ଅଧିକ ପରିବାର ପାଣି ଘେରରେ ଅଛନ୍ତି । ପ୍ରତିବାଦରେ ଉତ୍ୟକ୍ତ ଗାଁ ଲୋକେ ଛେନାପଦି-ହଦଗଡ ରାସ୍ତାକୁ ପଥର ପକାଇ ଅବରୋଧ ଥିବା କରିଛନ୍ତି । ବୈତରଣୀରେ କେନାଲ ବନ୍ଧ ନିର୍ମାଣ ପରେ ଗାଁରେ ଏପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ସେପଟେ ଓଡିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ଆଜି ଦିନ ତମାମ ବର୍ଷା ଲାଗି ରହିବ । ତେବେ ଲଘୁଚାପ ବର୍ଷାକୁ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୪ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଂଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ଏହି ୪ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ରାଜ୍ୟର ୭ ଜିଲ୍ଲାକୁ ଅରେଂଜ ଆଲର୍ଟ ଓ ଆସନ୍ତାକାଲି ପାଇଁ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଡ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।