ଦୁଃଖ ଦେଇଗଲା ଝଡତୋଫାନ! କାଳବୈଶାଖୀ ବର୍ଷା ଭାଙ୍ଗିଦେଲା ଘରଦ୍ୱାର, ଛାରଖାର ହୋଇଗଲା ଫସଲ

30

କନକ ବ୍ୟୁରୋ : କାଳବୈଶାଖୀ ଦେଖାଇଛି ତାର କରାଳ ରୂପ । ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ଧରି କାଳବୈଶାଖୀ ବର୍ଷା ସହ ଝଡତୋଫାନ ହୋଇଛି । ଫଳରେ ଅନେକ ସ୍ଥାନରେ ଉଜୁଡି ଯାଇଛି ଚାଷୀର ଫସଲ । ଦିନର ପ୍ରଚଣ୍ଡ ରୌଦ୍ରତାପ ପରେ ଦିନ ବଢିବା ସହ ବଦଳିଗଲା ପ୍ରକୃତିର ରୂପ । ପ୍ରଚଣ୍ଡ ଖରା ପରେ ଆକାଶରେ ମାଡି ଆସିଲା ଘନ କଳା ବାଦଲ ଆଉ ପ୍ରବଳ ବେଗରେ ବୋହିଲା ପବନ । ଏଭଳି ଥିଲା ରାଜ୍ୟର ଉପକୂଳ ଓ ଆଭ୍ୟନ୍ତର ଓଡିଶାର ବହୁ ସ୍ଥାନର ଦୃଶ୍ୟ ।

ସୋମବାର ସଂଧ୍ୟାର କାଳବୈଶାଖୀ ବହୁ ସ୍ଥାନରେ କରିଛି ବ୍ୟାପକ କ୍ଷୟକ୍ଷତି । ବରଗଡ ଓ ସୋନପୁର ଅଂଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଛି । ଫଳରେ ନଷ୍ଟ ହୋଇ ଯାଇଛି ଫସଲ । ଦିନ କେଇଟା ପରେ ଅମଳ ହୋଇ ଥାନ୍ତା ଧାନ, କିନ୍ତୁ ତାହା ନଷ୍ଟ ହୋଇଯାଇଛି । ଏହା ସହ କୁଆପଥର ମାଡରେ ପନିପରିବା ଓ ଅନ୍ୟ ଚାଷ ମଧ୍ୟ ନଷ୍ଟ ହୋଇଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।

ସେପଟେ ବାଲେଶ୍ୱରରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିଥିଲା । ବର୍ଷା ସହ ଘଡଘଡି ଯୋଗୁଁ ବେଶ୍ କିଛି ସମୟ ପାଇଁ ଯାତାୟତ ହୋଇଥିଲା ବାଧାପ୍ରାପ୍ତ । ସେହିପରି ମାଲକାନଗିରିରେ ମଧ୍ୟ ପ୍ରବଳ ବେଗରେ ପବନ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ପବନ ବୋହି ସହ ଘଡଘଡି ବିଜୁଳି ଓ ବର୍ଷା ହୋଇଛି । ଜୋର ପବନ ବୋହିବା ଯୋଗୁଁ କୋରାପୁଟ ବରିଗୁମା ଅଂଚଳରେ ବହୁ ଘରର ଛପର ଉଡିଯାଇଛି । ଏପରିକି କାନ୍ତା ପଂଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଟିଣ ଛାତ ଉଡିଯାଇଛି ।

ପାଣିପାଗ ବଦଳିବା ସହ ବଦଳିଛି ସମୁଦ୍ର ରୂପ । ଅଶାନ୍ତ ହୋଇ ପଡିଛି ପୁରୀ ଉପକୂଳରେ ସମୁଦ୍ର । ତେଣୁ ଏହା ଭିତରକୁ ନଯିବାକୁ ପର୍ଯ୍ୟଟକଙ୍କ ସତର୍କ ସୂଚନା ଜାରି କରାଯାଇଛି । ତାହାରି ଭିତରେ କୋହଲା ପାଗର ମଜା ନେବାକୁ ଭୁଲୁ ନାହାଁନ୍ତି ପର୍ଯ୍ୟଟକ । ପ୍ରବଳ ଖରାର ତାତିରେ ଡହଳବିକଳ ହେଉଥିବା ଲୋକଙ୍କ ପାଇଁ କାଳବୈଶାଖୀ ଆଶ୍ୱସ୍ତି ଆଣିଥିବା ବେଳେ କେତେ ସ୍ଥାନରେ ଦେଖାଇଛି ତାର କରାଳ ରୂପ ।