ଲଘୁଚାପ ଭୟ ! ଭୟରେ ତରବରିଆ ଧାନ କାଟି ନେଲେ ଚାଷୀ, ୧୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା

108

କନକ ବ୍ୟୁରୋ : ବର୍ଷା ଭୟରେ କ୍ଷେତରୁ ତରବରିଆ ଭାବେ ଧାନ କାଟିିଲେ ଚାଷୀ । ଲଘୁଚାପ ବର୍ଷା ଆସୁଥିବାରୁ ପାଚିଲା ଧାନ କାଟି ଆଣିବାକୁ ଓୟୁଏଟିର ପରାମର୍ଶ ପରେ, ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ମାନେ ଧାନ କାଟିବାରେ ବ୍ୟସ୍ତ । ହାତରେ ଆଉ ସମୟ ନାହିଁ । ଧାନ ନ କାଟିଲେ ସବୁ ଚାଷ ଉଜୁଡି ଯିବ । ଏପଟେ ପାଣିପାଗ ବିଭାଗ କହିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶ୍ରୀଲଙ୍କା ମୁହାଁ ହେଉଛି । ତଥାପି ଆଗାମୀ ମଙ୍ଗଳବାରଠାରୁ ଏହାର ପ୍ରଭାବ ଓଡିଶାର ବିଭିନ୍ନ ଜିଲ୍ଲାରେ ରହିବ । ଦକ୍ଷିଣରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରୁ ଉତର, ଲଘୁଚାପର ଗତି ଅନୁସାରେ ବଦଳିବ ବର୍ଷା ଅଂଚଳ । ଆଗାମୀ ୧୭ ତାରିଖ ଯାଏଁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

rainବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନଭେମ୍ବର ୧୪ ତାରିଖ ବେଳକୁ ଦକ୍ଷିଣ ଓଡି଼ଶାର ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପର ଗତି ସହିତ ବଦଳିବ ବର୍ଷା ଅଂଚଳ । ୧୫ ତାରିଖ ବେଳକୁ ଉପକୂଳ ଓଡି଼ଶାରେ ଭଲ ବର୍ଷା ହେବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସମୟ ବିତିବା ସହ ନଭେମ୍ବର ୧୬ ତାରିଖରେ ଉପକୂଳ ସହ ଆଭ୍ୟନ୍ତରୀଣ ଓଡି଼ଶାରେ ବର୍ଷିବ । ପୁରୀ, କଟକ ସମେତ ଖୋର୍ଦ୍ଧାର ଗୋଟିଏ ଦୁିଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଠିକ୍ ସେହିଭଳି ୧୭ ତାରିଖ ବେଳକୁ ଉତରକୁ ଓଦା କରିବ ଲଘୁଚାପ ବର୍ଷା । ଉତର ଓଡି଼ଶାର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିପାରେ ।

ଯଦିଓ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶ୍ରୀଲଙ୍କା ମୁହାଁ ହୋଇଛି ତଥାପି ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ଥଳଭାଗଠାରୁ ଲଘୁଚାପ ବହୁ ଦୂରରେ କେନ୍ଦ୍ରୀଭୂତ ହୋଥିବାରୁ ସୋମବାର ବେଳକୁ ଏହାର ଗତି ଓ ପ୍ରଭାବ ସଂପର୍କରେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି ।

low pressureଗୋଟିଏ ପଟେ ଶ୍ରୀଲଙ୍କା ମୁହାଁ ହେଉଛି ଲଘୁଚାପ । ସେପଟେ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀଙ୍କ ଭିତରେ ଛନକା । ଅମଳ ହେବାକୁ ଥିବା ଧାନ ତୁରନ୍ତ କାଟିନେବାକୁ ସରକାରଙ୍କ ପରାମର୍ଶ ମଧ୍ୟ ଚିନ୍ତା ବଢାଇ ଦେଇଛି । ମରୁଡି ଓ ଚକଡା ପୋକ ଦାଉରେ ହାଇରାଣ ହେଉଥିବା ଚାଷୀ ପୁରା ଛାନିଆ ହୋଇପଡିଛି । ବିଭିନ୍ନ ସ୍ଥାନରେ ଚାଷୀମାନେ ବିଲରୁ ତରବରିଆ ଭାବେ ଧାନ କାଟିନେଇଛନ୍ତି ।

ଲଘୁଚାପ ବର୍ଷା ସମ୍ଭାବନାକୁ ଆଖିରେ ରଖି ପାଚିଲା ଧାନ କ୍ଷେତରୁ କାଟିଆଣିବାକୁ ପରାମର୍ଶ ଦେଇଥିଲା ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ । ଏହାପରେ ଚାଷୀ ତତ୍ପର ହୋଇପଡିଛନ୍ତି । କାରଣ ଅମଳ ନକରି ଧାନ ବିଲରରେ ଛାଡିଦେଲେ ବର୍ଷାପାଣିରେ ଗଜା ହୋଇଯିବାର ଆଶଙ୍କା ରହିଛି । ସେପଟେ ଅମଳକୁ ସୁରକ୍ଷିତ ରଖିବା ଲାଗି ସରକାରୀ ସ୍ତରରେ ପର୍ଯ୍ୟାପ୍ତ ଧାନ ଖଳା ମଧ୍ୟ ନିର୍ମାଣ କରାଯାଇ ନାହିଁ । ତେଣୁ ଅମଳ ଧାନକୁ ଘୋଡାଇ ରଖିବା ପାଇଁ ପାଲ ଓ ତାର୍ପୋଲିନ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।