ଆଜି ବି ପ୍ରବଳ ବର୍ଷା ଚେତାବନୀ: ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ଓଡ଼ିଶାରେ ବନ୍ୟା ଆଶଙ୍କା

82

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସନ୍ନିକଟସ୍ଥ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବାବେଳେ ଆସନ୍ତା ୧୯ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଉତ୍ତର ବଙ୍ଗୋପସାଗର ଉପରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏଥିରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଛତିଶଗଡ଼ ମୁହାଁ ହେଲାଣି। ଏହା ପ୍ରଭାବରେ ଆସନ୍ତା ୧୨ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଲାଗି ରହିବ। ଏପରିକି ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କିନ୍ତୁ ଆସନ୍ତା ୧୯ତାରିଖରେ ହେବାକୁ ଥିବା ଲଘୁଚାପ ଅଧିକ ବର୍ଷା କରିବ। ଏଥିରେ ଉତ୍ତର ଓଡ଼ିଶାରେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ସାହୁ କହିଛନ୍ତି।

Rain

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଛତିଶଗଡ଼ ମୁହାଁ ହୋଇଛି। ଏହା ପ୍ରଭାବରେ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରଭାବ କମିବ। କିନ୍ତୁ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀରର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବ। ହେଲେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଆସନ୍ତା ୧୮ତାରିଖରୁ ବଢ଼ିବ। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବର୍ଷା ହୋଇଥିବାବେଳେ ଭବାନିପାଟଣାରେ ସର୍ବାଧିକ ୨୦୨ମିଲିମିଟର ବର୍ଷା ହୋଇଛି। ବାଲେଶ୍ୱରରେ ୨ମିମି, ଚାନ୍ଦବାଲିରେ ୫ମିମି, କଟକରେ ୪ମିମି, ପାରାଦୀପରେ ୦.୧ମିମି, ଭୁବନେଶ୍ୱରରେ ୨.୪ମିମି, ଗୋପାଳପୁରରେ ୧୦ମିମି, ପୁରୀରେ ୭୪ମିମି, ଅନୁଗୁଳରେ ୧୬ମିମି, ଝାରସୁଗୁଡ଼ାରେ ୦.୪ମିମି, କେନ୍ଦୁଝରଗଡ଼ରେ ୧୫ମିମି, ସମ୍ବଲପୁରରେ ୧୨ମିମି, ସୁନ୍ଦରଗଡ଼ରେ ୮ମିମି, ହୀରାକୁଦରେ ୩ମିମି, ତାଳଚେରରେ ୬ମିମି, ବଲାଙ୍ଗୀରରେ ୨୦ମିମି, କୋରାପୁଟରେ ୨୯ମିମି, ଫୁଲବାଣୀରେ ୫ମିମି, ଟିଟିଲାଗଡ଼ରେ ୫୮ମିମି, ମାଲକାନଗିରିରେ ୧୪ମିମି, ସୋନପୁରରେ ୮ମିମି, ଦାରିଙ୍ଗବାଡ଼ିରେ ୧୪ମିମି, ଢେଙ୍କାନାଳରେ ୮ମିମି ବର୍ଷା ହୋଇଛି।