ବର୍ଷକ ଯାକର ପରିଶ୍ରମ ଧୋଇନେଲା ଅଦିନିଆ ବର୍ଷା ! କ୍ଷେତରେ ଶୋଇଛି ଧାନ, ଲହଡ଼ି ଭାଙ୍ଗୁଛି ପାଣି

71

କନକ ବ୍ୟୁରୋ: ୧୭ଟି ଜିଲ୍ଲାରେ ଧାନ କ୍ଷେତର ଦାରୁଣ ଚିତ୍ର । ଅଦିନିଆ ବର୍ଷା ମାଡରେ ହଜାର ହଜାର ହେକ୍ଟର ଜମିରେ ଶୋଇଯାଇଛି ପାଚିଲା ଧାନ । ଆଉ ତା ଉପରେ ଚାଲୁଛି ବର୍ଷାପାଣି । ଆହୁରି ୨୪ ଘଂଟା ବର୍ଷିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ, ଧାନ ଗଜାହେବା ନେଇ ଚାଷୀର ଭୟକୁ ବଢାଇ ଦେଇଛି । ଦକ୍ଷିଣରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଗତ ୧୫ ତାରିଖରୁ ଲଘୁଚାପ ବର୍ଷା ଲାଗିରହିଛି । ଏପଟେ ପୁରା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ଘନଘନ ସମୀକ୍ଷା ସହ କ୍ଷୟକ୍ଷତିର ଆକଳନ ଚାଲିଛି । ପ୍ରଭାବିତ ଜଲ୍ଲାରୁ ରିପୋର୍ଟ ମିଳିବା ପରେ ଅତ୍ୟଧିକ ବର୍ଷା ହୋଇଥିବା ଅଂଚଳର ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ।

ଅଦିନିଆ ବର୍ଷା ଧୋଇଦେଲା ବର୍ଷକ ଯାକର ପରିଶ୍ରମ । ମରୁଡି ଓ ରୋଗପୋକ ପରେ ଯାହାକିଛି ଅମଳ ବଂଚିଥିଲା ତା ଉପରେ ଦାଉ ସାଧିଛି ଲଘୁଚାପ ବର୍ଷା । ହେକ୍ଟର ହେକ୍ଟର ଜମିରେ ଉଜୁଡି ଯାଇଛି ଫସଲ । କେଉଁଠି ପାଚିଲା ଧାନ କ୍ଷେତରେ ଶୋଇଛି ଓ ତା ଉପରେ ପାଣି ଚାଲୁଛି ତ ଆଉ କେଉଁଠି ପାଣିରେ ଭାସୁଛି କଟା ଧାନ । ଚାଷୀ ଧାନ କାଟି ସୁରକ୍ଷିତ ସ୍ଥାନକୁ ବୋହି ଆଣିବା ପୂର୍ବରୁ ମାଡ଼ି ଆସିଛି ବର୍ଷା । ଅନ୍ୟପଟେ, ବର୍ଷା ପୂର୍ବରୁ ଆଡଭାଇଜରୀ ଜାରି କରି ସତର୍କ କରିଥିଲା ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ । ଲୁଣ ପାଣି ଛିଂଚି ଧାନକୁ ବର୍ଷା ବିପଦରୁ ରକ୍ଷା କରିବାକୁ ପରାମର୍ଶ ଦେଇଥିଲା । ହେଲେ ହଜାର ହଜାର ହେକ୍ଟର କ୍ଷେତରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ସେପଟେ ବର୍ଷା ଆସିବା ଆଗରୁ ଧାନ କାଟିଆଣିବା କଣ ସମ୍ଭବ ଥିଲା କି । ଆଉ ଗୋଟିଏ ବଡ ପ୍ରଶ୍ନ ହେଉଛି ଧାନ କାଟିଆଣି ଚାଷୀ ତାକୁ ରଖିଥାନ୍ତା କେଉଁଠି ।

ଚାଷୀଙ୍କ ଏହି ଦୁର୍ଦ୍ଦିନରେ ସେମାନଙ୍କ ଉଦ୍ଦେଶ୍ୟରେ ମେସେଜ ଦେବାକୁ ଚାହିଁଛନ୍ତି ରାଜ୍ୟ ସରକାର । ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଫୋନଯୋଗ କଥା ହୋଇଛନ୍ତି କୃଷିମନ୍ତ୍ରୀ । ସେପଟେ ୨ଦିନ ବର୍ଷାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପହଂଚିସାରିଛି ଏବଂ ଅଦିନିଆ ବର୍ଷାରେ ପ୍ରଭାବିତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ସମୟରେ ଦୁର୍ବଳ ହେଉଛି । ଏହା ଗୋପଳପୁରର ଦକ୍ଷିଣ ପୂର୍ବ ଦିଗରେ ୧୧୦ କିଲୋମିଟର ଦୂରରେ ଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୧୯୦ କିଲୋମିଟର ଦୂରରେ ରହିଛି । ଅବପାତ ଉତ୍ତର ଓଡିଶା ଦେଇ ଗତି କରୁଥିବା ବେଳେ ଏହାର ପ୍ରଭାବରେ ଆଜି ମଧ୍ୟ ବର୍ଷା ଲାଗି ରହିଛି । କଟକ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର ଓ ଭଦ୍ରକରେ ବର୍ଷା ହୋଇଛି । ଆଗାମୀ ୨୪ ଘଂଟା ଯାଏଁ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀକୁ ଭୟଭିତ କରିଛି ।