ସମ୍ବଲପୁରର ସରକାରଙ୍କ ବିରୋଧରେ ତାତିଲେ ଚାଷୀ ! ନକଲି ଔଷଧ ଯୋଗାଣ ଅଭିଯୋଗରେ ଡିଡିଏଡବ୍ଲୁ ଅଫିସ ଘେରିଲା ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି

39

କନକ ବ୍ୟୁରୋ: ଧାନରେ ଚକଡା ପୋକ ଲାଗି ଚାଷ ନଷ୍ଟ ହେଉଥିବା ବେଳେ କାମ କରୁନି ସରକାରୀ ଔଷଧ । ସରକାର ନକଲି ଔଷଧ ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସମ୍ବଲପୁରରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି । ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଡିଡିଓଡବ୍ଲୁ ଅଫିସ ଘେରାଉ କରାଯାଇଛି । ଚାଷୀମାନେ ଅଫିସ ଆଗରେ ବସି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । କେବଳ ଏତିକିରେ ଚାଷୀଙ୍କ ରୋଷ ଥମିନି, ଡିଡିଏଙ୍କୁ ଡକାଇ ତଳେ ବସି ଆଲୋଚନା ପାଇଁ ବାଧ୍ୟ କରୁଥିବା ଜଣାପଡିଛି । ସରକାର ନକଲି ଔଷଧ ଯୋଗାଉଥିବାରୁ ଧାନରେ ଲାଗିଥିବା ଚକଡା ପୋକ ମରୁନିଥିବା ଚାଷୀ ଅଭିଯୋଗ କରି, ଜାଲ ସରକାରୀ ଔଷଧ ଦେଖାଇଛନ୍ତି ।

ଅନ୍ୟପଟେ, ଲଗାଣ ବର୍ଷା ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ । ଯୋଗୁ ଯାଜପୁର ଜିଲ୍ଳାର ବ୍ୟାପକ ଅଂଚଳରେ ଚାଷ ପ୍ରଭାବିତ । ଧାନ ଚାଷ ଠାରୁ ଆରମ୍ଭ କରି ଶୀତଦିନିଆ ପନିପରିବା ଚାଷ ଯାଏଁ ସବୁ କିଛି ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷ ଜମି ଉପରେ ପାଣି ମାଡି ଯାଇଥିବାରୁ ବ୍ୟାପକ ପଂସଲ ନଷ୍ଟ ହୋଇଛି । ଏପରିକି ଧାନ ଗଛ ଗୁଡିକ ପାଣିରେ ବୁଡି ରହିବା ପଂଳରେ ଆଉ ଅମଳ ହେବାର ଆଶା ନାହିଁ । ଲକ୍ଷ ଲକ୍ଷ ଟଙ୍କା ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି । ସେପଟେ ଜିଲ୍ଳା କୃଷି ଅଧିକାରୀଙ୍କ କହିବା କଥା ହେଲା କ୍ଷୟକ୍ଷତିର ଆକଳନ ଚାଲିଛି । ରିପୋର୍ଟ ଆସିବା ପରେ ଯାଇଁ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିପରି କଟକ ଜିଲ୍ଲା ନିଆଳି ଅଂଚଳରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଏକବରୁଆଁ, ଶିଠାଳ, ଶଗଡାଇଲୋ ପଂଚାୟତର ଶହ ଶହ ହେକ୍ଟର ଚାଷୀ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି । ଉଜୁଡା ଫସଲକୁ ପାଣିରୁ ଛାଣି ଖରାରେ ଶୁଖାଇବାରେ ବ୍ୟସ୍ତ ଅଛନ୍ତି ଚାଷୀ । ବର୍ଷ ତମାମର ପରିଶ୍ରମ ବର୍ଷା ଧୋଇନେବା ପରେ ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା । ଆଉ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି ।