ଦକ୍ଷିଣ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ବଢ଼ୁଛି ଋଷିକୁଲ୍ୟା ଓ ବଂଶଧାରାର ଜଳସ୍ତର, ବିପଦସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

74

କନକ ବ୍ୟୁରୋ : ବତ୍ୟା ଭୟ କମିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଘାରିଛି ବନ୍ୟା ଭୟ । ତିତଲି ପ୍ରଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କେତେକ ସ୍ଥାନରେ ବନ୍ୟା ଜଳ ନଦୀ ବନ୍ଧ ଡେଇଁ ଗାଁ ଭିତରେ ପଶିଛି । ଗାଁ ଦାଣ୍ଡରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି ବନ୍ୟାଜଳ । ରାସ୍ତା ଉପରେ ୪ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ନଦୀ ଉପରେ ଥିବା ବ୍ରିଜ୍ ବୁଡିଯାଇଛି । ବନ୍ୟା ଜଳ କେତେବେଳେ ବ୍ରିଜକୁ ଭସାଇନେବ କହିହେବନି । ରୂଷିକୂଲ୍ୟାର ବନ୍ୟାଜଳ ଭଂଜନଗରର ୧୦ରୁ ଅଧିକ ପଂଚାୟତରେ ପଶିଛି । ଲୋହରାଖଣ୍ଡି, ବଡ ନଦୀ ଓ ବୋଡା ନଦୀର ବନ୍ୟା ଜଳରେ ଫଶିରହିଛନ୍ତି ଶହ ଶହ ଲୋକ । ଫଳରେ ବ୍ରହ୍ମପୁର-ଭଂଜନଗର, ସୋରଡା-ଭଂଜନଗର, ଦଶପଲା-ଭଂଜନଗର, ଭୁବନେଶ୍ୱର-ଭଂଜନଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେପଟେ ଗଞ୍ଜାମ ଜିଲ୍ଲା ଶେରଗଡ ଅଂଚଳର ଅବସ୍ଥା ଆହୁରି ବେହାଲ ହୋଇଛି । ତିତଲି ପ୍ରଭାବରେ ଲାଗିରହିଛି ବର୍ଷା । ଶେରଗଡର ଚଷାମହୁଲି ଗାଁ ଭିତରେ ବି ବନ୍ୟା ଜଳ ପଶିଛି । କେନାଲ ଓ ପାହାଡରୁ ଆସୁଥିବା ପାଣିରେ ବୁଡିଯାଇଛି ୨ଶହରୁ ଅଧିକ ଘର । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି । କେତେକ ଘର ଭିତରେ ବି ପାଣି ପଶିଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏହି ଗାଁର ଲୋକେ । ସେହିପରି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ବାହୁଦା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳରେ ୩ପଂଚାୟତର ପ୍ରାୟ ୫ଟି ଗାଁ ଜଳଘେରରେ ରହିଛି । ଗାଁକୁ ଯୋଗଯୋଗ ସମ୍ପୂର୍ଣ୍ଣ ବିିଛିନ୍ନ ହୋଇଛି ।

ଗଞ୍ଜାମରେ ଲାଗିରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିିଛି । ନଦୀରେ ବନ୍ୟା ପାଣି ପ୍ରଖର ସ୍ରୋତରେ ମାଡିଆସିଛି । ବନ୍ୟା ଜଳର ବେଗ ଏତେ ହୋଇଛି ରାସ୍ତାଘାଟକୁ ଧୋଇନେବା ସହ ବଡ ବଡ ଜେସିବି ଓ ଟ୍ରକକୁ ମଧ୍ୟ ଭସାଇ ନେଉଥିବା ଦେଖିବାକୁ ମିଳିଛି । ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ନୂଆଗଡ ଗ୍ରାମରେ ଚାଲିଥିବା ଏକ ପୋଲକାମରେ ବ୍ୟବହାର ହେଉଥିବା ଟ୍ରକ ଓ ଜେସିବି ବନ୍ୟା ଜଳ ଭସାଇ ନେଇଛି । ପାଣିର ସ୍ରୋତ ଯେଉଁ ଆଡକୁ ବହଛି ସେହି ଆଡକୁ ଭାସି ଭାସି ଯାଉଛି ସେହି ବଡ ଗାଡି । ଏଭଳି ସ୍ଥିତିରେ ନଦୀରେ ଆସିଥିବା ବନ୍ୟା ଜଳର ସ୍ରୋତ କେତେ ପ୍ରଖର ଥିବ ତାହା ସହଜରେ ଅନୁମାନ କରାଯାଇପାବେ ।

ଗଞ୍ଜାମ ଜିଲ୍ଲାର ଆସ୍କା ଅଂଚଳରେ ମଧ୍ୟ ସମାନ ଅବସ୍ଥା । ତିତଲି ପ୍ରଭାବରେ ଏହି ଅଂଚଳରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ବେହାଲ ହୋଇଛି ଜନଜୀବନ । ଧରାକୋଟ ବ୍ଲକର ବାହାଡଗୁଡା ଗ୍ରାମରେ ରାସ୍ତା ଉପରେ ୪ଫୁଟର ପାଣି ପ୍ରବାହିତ ହେଉଛି । ଆସିକା- ଶେରଗଡ- ଦିଗପହଣ୍ଡିକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ବାତ୍ୟା ତିତଲିରେ ଗଜପତି ଜିଲ୍ଲା ସବୁଠି ବେଶୀ କ୍ଷତିଗ୍ରସ୍ତ ହୋଇଛି । ଆନ୍ଧ୍ରପ୍ରଦେଶର ଶିକାକୁଲମରେ ତିତଲି ହିଟ୍ କରିବା ପରେ ଏହାର ପ୍ରଭାବ ସିଧାସଳଖ ଗଜପତି ଜିଲ୍ଲା ଉପରେ ପଡିଛି । ଭୟଙ୍କର ପବନରେ ବହୁ ସ୍ଥାନରେ ଘରର ଛପର ଉଡିଯିବା ସହ ବଡ ବଡ ଗଛ ଭାଙ୍ଗି ପଡିଛି । ବିଦ୍ୟୁତ୍ ଖୁଂଟ ମଧ୍ୟ ଭାଙ୍ଗିପଡିଛି । ସେହିପରି ବିଦ୍ୟୁତ୍ ତାର ଉପରେ ଗଛ ପଡିଯିବାରୁ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଛି । ଫଳରେ ଅନେକ ଅଂଚଳ ଅନ୍ଧାର ହୋଇଛି । ପବନ ସାଙ୍ଗକୁ ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ଲୋକମାନେ ଏବେ ବି ବାତ୍ୟା ଆଶ୍ରୟ ସ୍ଥଳରେ ରହିଛନ୍ତି । ସେହିପରି ପାରଳାଖେମୁଣ୍ଡି ଅଂଚଳ ମଧ୍ୟ ବାତ୍ୟା ତିତଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ବଡ ବଡ ଗଛ ଭାଙ୍ଗିପଡିଛି, ଚାଳ ଛପର ଘର ନଷ୍ଟ ହୋଇଯାଇଛି । ସେହିପରି ଟିଣ ଦସ୍ତା ଘରର ଛାତ ଉଡିଯାଇଛି ।