୨୭ରୁ ଲଗାଣ ବର୍ଷା

28

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ନିକଟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ଯୋଗୁଁ ଏବେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଏହିପରି ପାଗ ଲାଗି ରହିବ । ହେଲେ ଆସନ୍ତା ୨୭ ତାରିଖ ବେଳକୁ ଏହା ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଏହାପରେ ଲଘୁଚାପର ରୂପ ନେଇପାରେ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଆରମ୍ଭ ହେବ । ଏପରିକି ପୂରା ଦଶହରାରେ ବର୍ଷା ଲାଗି ରହିବ ।

ଆସନ୍ତା ୧ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷା ଆରମ୍ଭ ହୋଇଥିଲେ ହେଁ ଘୂର୍ଣ୍ଣିବଳୟର ନିର୍ଦିଷ୍ଟ ରୂପରେଖ ସ୍ପଷ୍ଟ ହେବାକୁ ଦିନେ ଦୁଇଦିନ ଲାଗିବ । ଗତକାଲି ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଦାରିଙ୍ଗବାଡ଼ିରେ ୧୧ମିମି ଏବଂ କୋରାପୁଟରେ ୧୦ମିମି ବର୍ଷା ହୋଇଛି ।

ପୂର୍ବାନୁମାନ ଅନୁଯାୟୀ, ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳକୁ ମୁହାଁଇବା ପରେ ଲଘୁଚାପରେ ପରିଣତ ହେବ । ଫଳରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । ଅମୃତସରରୁ ଏକ ମୌସୁମୀ ଟ୍ରଫ୍ ଲାଇନ ବାଲେଶ୍ୱର ଦେଇ ଆଣ୍ଡାମାନ ଉପକୂଳ ପର୍ଯ୍ୟନ୍ତ ଲମ୍ବି ଯାଇଛି । ଆଗାମୀ ଦିନରେ ଏହା ଘୂର୍ଣ୍ଣିବଳୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଡ. ସାହୁ ମତ ଦେଇଛନ୍ତି । ଘୂର୍ଣ୍ଣିବଳୟ ନହେବା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ ବୋଲି ଡ. ସାହୁ କହିଛନ୍ତି ।