ମାଡି ଆସୁଛି ବଡ ବର୍ଷା ! ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର; ଦିନ ସାଢେ ଗୋଟାଏ ଯାଏଁ ସତର୍କ ରହିବାକୁ ପରାମର୍ଶ

2,391

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆହୁରି ବର୍ଷା ସମ୍ଭାବନା । ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାକୁ ସର୍ତକ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ୧୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ତେବେ ଦିନ ୧ଟା ୩୦ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ସମ୍ବଲପୁର,ଝାରସୁଗୁଡ଼ା, ଅନୁଗୁଳ,ଢ଼େଙ୍କାନାଳ, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଂଜ ଜିଲ୍ଲାକୁ ସର୍ତକ ରହିବାକୁ କୁହାଯାଇଛି ।

ସେପଟେ, ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ହାରୀକୁଦ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ଜଳସ୍ତର ଏବେ ୬୧୫ ଫୁଟ ଉପରେ ଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲି ଗେଟ ଖୋଲି ପ୍ରଥମ ବନ୍ୟାଜଳ ଛଡାଯିବ । ସୋମବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬.୧୫ ୯୧ ଫୁଟ ରହିଥିଲା । ଯାହା ରାତି ୯ଟାରେ ଜଳସ୍ତର ବୃଦ୍ଧି ପାଇ ୬୧୬. ୦୬ ଫୁଟରେ ପହଂଚିଥିଲା । ସେହିପରି ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୪ ହଜାର ୮୪୫ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଉ ବିଭିନ୍ନ ବାଟ ଦେଇ ନିଷ୍କାସିତ ହେଉଛି ୧୮ ହଜାର ୧୦୫ କ୍ୟୁସେକ ଜଳ ।