ପ୍ରବଳ ବର୍ଷାରେ କଳାହାଣ୍ଡିରେ ଧୋଇଗଲା ଏନଏଚ ୨୬ର ଆପ୍ରୋଚ ରୋଡ : ସେପଟେ ପାଣିରେ ଭାସିଗଲା ଟ୍ରକ !

48

କନକ ବ୍ୟୁରୋ : ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି । ତେବେ କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି । ବିଭିନ୍ନ ନଦୀ ନାଳରେ ଜଳ ପତନ ବୃଦ୍ଧି ପାଇବା ସହ ଅନେକ ସ୍ଥାନରେ ରାସ୍ତା ଉପରେ ତିନି ଚାରି ଫୁଟର ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି । ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜାତୀୟ ରାଜପଥ ୨୬ର କନ୍ତେଶୀର ଅଂଚଳ । ଏଠାରେ ବର୍ଷା ପାଣି ଆପ୍ରୋଚ ରୋଡକୁ ଧୋଇନେଇଥିବାରୁ ବଲାଙ୍ଗିର ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି । ତେଣୁ ଉଭୟ ପଟ ରାସ୍ତାରେ ଅନେକ ଗାଡିମଟର ଅଟକି ରହିଛନ୍ତି । ବର୍ଷା ପାଣି ଏକ ବଡ ଟ୍ରକକୁ କିଛି ବାଟ ଭସାଇ ନେଇଥିବା ମଧ୍ୟ ଜଣାପଡିଛି । ପାଣି ସୁଅ ଭିତରେ ଟ୍ରକଟି ଫସି ରହିଥିବା ବେଳେ ଜେସିବି ସାହାଯ୍ୟରେ ଟ୍ରକକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

 

ହେଲେ ଟ୍ରକର ଅଧିକାଂଶ ଭାଗ ପାଣି ଭିତରେ ଥିବାରୁ ଧସିଯାଇଥିବା ରାସ୍ତାର ଗୋଟିଏ ପଟକୁ ଉଠାଇବା ଭାରି କଷ୍ଟକର ବ୍ୟାପାର ହୋଇଛି । ଗତକାଲି ଟ୍ରକଟି ଆପ୍ରୋଚ ରୋଡ ଦେଇ ଅତିକ୍ରମ କଲାବେଳେ ବର୍ଷା ପାଣି ଆପ୍ରୋଚ ରୋଡକୁ ଭସାଇ ନେବାରୁ ଟ୍ରକଟି ଫସି ରହିଛି । ତେବେ ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗିରହିଛି । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ରାଜ୍ୟରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏହାସହ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗଙ୍କ ସୂଚନା ଅନୁସାରେ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାରୁ ଆସନ୍ତା ୭୨ ଘଂଟା ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଲଗାଣ ବର୍ଷା ହେଲେ ସ୍ଥିତି ମୁକାବିଲା ପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଦିଆଯାଇଛି ।