ଘନ କୁହୁଡି ବଳୟରେ କଟକ ଓ ଭୁବନେଶ୍ୱର ! ୧୦ମିଟର ଦୂରକୁ ଦେଖାଯାଉନି ରାସ୍ତା, ଯାତାୟତ ବାଧାପ୍ରାପ୍ତ

106

କନକ ବ୍ୟୁରୋ : କୁହୁଡି ବଳୟରେ ଦୈତ ନଗରୀ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକରେ ପ୍ରବଳ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । କୁହୁଡି ଏତେ ଜୋରରେ ହୋଇଛି ଯେ ମୁହଁକୁ ମୁହଁ ଦିଶୁନି । ଆଜି ଶନିବାର । ସପ୍ତାହର ଶେଷ ଦିନ । ଦୈତନଗରୀରେ ହୁଏତ ଅନେକ ଲୋକ ବିଛଣା ଛାଡି ନଥିବେ । ଆଉ ଯଦି କିଛି ଯଦି ଜରୁରୀ କାମରେ ଆପଣଙ୍କୁ ବାହାରକୁ ଯିବାର ଅଛି ତାହେଲେ ଟିକେ ସତର୍କ ହୋଇ ଯିବାକୁ ପଡ଼ିବ ।

ଚଳିତ ବର୍ଷ ଶୀତ ଦିନରେ ଏଭଳି କୁହୁଡି ଆଗରୁ କେବେ ଦେଖିବାକୁ ମିଳିନଥିଲା । ଆଜି ସକାଳୁ ଦୈତନଗରୀ ସମ୍ପୂର୍ଣ୍ଣ ଧଳା ଆସ୍ତରଣରେ ଘୋଡେଇ ହୋଇ ରହିଛି । ଘନ କୁହୁଡିର ବଳୟ ଭିତରେ ରହିଛି କଟକ ଓ ଭୁବନେଶ୍ୱର । ୧୦ ମିଟର ଦୂରରୁ ଦେଖିବା କଷ୍ଟକର ହୋଇଛି । ବର୍ଷା ଭଳି କୁହୁଡି ଟିପ୍ ଟିପ୍ ବର୍ଷୁଛି ।

ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ଲାଇଟ୍ ଦେଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବଡ ବଡ ଗାଡି ଅଟକି ରହିଛନ୍ତି । ଦିନ ବଢ଼ିବା ସହ କୁହୁଡିର ପରିମାଣ ବଢ଼ିବାରେ ଲାଗିଛି ।