କୁହୁଡି ବଳୟରେ ରାଜଧାନୀ ! ସକାଳୁ ସକାଳୁ ଭୁବନେଶ୍ୱରରେ ପ୍ରବଳ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

67

କନକ ବ୍ୟୁରୋ: କୁହୁଡି ବଳୟରେ ରାଜଧାନୀ । ସକାଳୁ ସକାଳୁ ଭୁବନେଶ୍ୱରରେ ପ୍ରବଳ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । କୁହୁଡି ଏତେ ଜୋରରେ ହୋଇଛି ଯେ, ଦୁଇ ଶହ ମିଟର ଭିତରେ ମୁହଁକୁ ମୁହଁ ଦିଶୁନି । ଏହି ବ୍ୟସ୍ତବହୁଳ ସହରରେ ସକାଳୁ ଅଫିସ ହେଉ ବା ସ୍କୁଲ କଲେଜ ଯିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ ଓ ଛାତ୍ରଛାତ୍ରୀ । କୁହୁଡି ଯୋଗୁଁ ଗାଡି ଚଳେଇବା ବେଳେ ସତର୍କ ରହିବା ଆବଶ୍ୟକ ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ ଋତୁ ସତେ ଯେପରି ଗାଏବ ହୋଇଯାଇଛି । ଅଦିନିଆ ମେଘ ହଟିଯାଇଛି ସିନା, ଅନେକ ସ୍ଥାନରେ ବାୟୁମଣ୍ଡଳରେ ରହିଥିବା ଜଳୀୟବାଷ୍ପ ସଂପୂର୍ଣ୍ଣ ଯାଇନାହିଁ । ଆଜିଠାରୁ ପୁଣି ପଶ୍ଚିମା ବାୟୁ ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦୁଇ ଦିନ ଧରି ସ୍ୱଳ୍ପ ପରିମାଣରେ ବର୍ଷା ହେବାର ଆଶଙ୍କା ରହିଛି । ୧୭ ତାରିଖ ବେଳକୁ ପଶ୍ଚିମା ବାୟୁ ସଂପୂର୍ଣ୍ଣ ରୂପେ ଅପସରି ଯାଇଥିବ ଓ ଥଣ୍ଡା ପୁଣି ଫେରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଆଜିଠାରୁ ପଶ୍ଚିମା ବାୟୁ ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳର କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ । ୧୪ ଏବଂ ୧୫ରେ ଏହିସବୁ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା କହୁଛି । ପଶ୍ଚିମ ଦିଗରୁ ଏହି ବାୟୁ ଆସିବ ଏବଂ ଏହା ଗଲା ପରେ ଥଣ୍ଡା ମାଡ଼ି ଆସିବ ବୋଲି କୁହାଯାଇଛି । ୧୭ ତାରିଖରୁ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଥଣ୍ଡା ଅନୁଭୂତ ହେବ।