ନା’ର ଚାଲିଛି ନାରା !

273

କନକ ବ୍ୟୁରୋ : ଏବେ ଚାରିଆଡେ କେବଳ ଶୁଭୁଛି ନା’ ନା’ ଆଉ ନା’ । ଖବର ଶୀର୍ଷକ ପଢି ଯଦି ଆପଣ ଭାବୁଛନ୍ତି ଲେଖାଟି ଓଲିଉଡ ଫିଲ୍ମର ଗୀତ ସହ ସମ୍ପର୍କିତ ତାହେଲେ ଆପଣ ଭୁଲ ଭାବୁଛନ୍ତି ।  ଏହା କୌଣସି ଫିଲ୍ମ ଗୀତ ନୁହେଁ ବରଂ ସାମାଜିକ ଜୀବନରେ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କିମ୍ବା ଲାଗୁଥିବା କଟକଣା ଉପରେ ପର୍ଯ୍ୟବେଷିତ । ଏହି ନା’ ଶବ୍ଦ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତଙ୍କୁ କରୁଛି ପ୍ରଭାବିତ  ।

ହଁ କୁ ପଛରେ ପକାଇବା ପରେ ଏବେ ନା’ର ଭାରି ଡିମାଣ୍ଡ । ଯାହାର ମୁହଁରୁ ଶୁଣ ଖାଲି ନା’ । କେତେବେଳେ ପଲିଥିନକୁ ନା’ ତ ପୁଣି କେତେବେଳେ ବାଘୁଣୀକୁ ଜଙ୍ଗଲ ମନା । ଆଉ କେତେବେଳେ ଚାଷୀଙ୍କୁ ରାଜଧାନୀ ମନା ତ ପୁଣି କେତେବେଳେ ନେତାଙ୍କୁ ଗାଁ ମନା । ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀର ରାଜରାସ୍ତା ଏବେ ସବୁଠୁ କେବଳ ଶୁଭୁଛି ନା’ । ନିର୍ବାଚନ ପାଖେଇ ଆସିଲେ ଯେତେବେଳେ ଜନତାଙ୍କ ପ୍ରତି କଥାରେ ନେତା ହଁ ମାରୁଥିବାର ଶୁଣାଯାଏ ସେତେବେଳେ କିନ୍ତୁ ଏବେ ନା’ ହିଁ ଶୁଣିବାକୁ ମିଳୁଛି । ସରକାରଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଏବେ ନା’ ଏକ ସାଧାରଣ ଶବ୍ଦ ଭାବେ ଉଭା ହୋଇଛି । ଏପରିକି ସୁପ୍ରିମକୋର୍ଟ ଦେଇଥିବା ନା’ ରାୟକୁ ଦେଶରେ କେଉଁଠି ସ୍ୱାଗତ କରାଯାଇଛି ତ ପୁଣି କେଉଁଠି ବିରୋଧ କରାଯାଇଛି । ଏବେ ଆସିବା ଅସଲ କଥାକୁ ।

ପ୍ରଥମେ ଜଗନ୍ନାଥ ଧାମ ପୁରୀରୁ ଆରମ୍ଭ କରିବା ନା’ର ଯାତ୍ରା । ଯେତେବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ ସେତେବେଳେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କଲା ପ୍ରଶାସନ ।  କିନ୍ତୁ ସେତେବେଳେ ପ୍ରଶାସନର ଏହି ନିଷ୍ପତିରେ ପ୍ରଥମେ ବାଜିଲା ନା’ର ହାୱା । ସୁପ୍ରିମକୋର୍ଟଙ୍କ ରାୟଙ୍କୁ ସରକାର ମାନିନେଲେ କିନ୍ତୁ ମାନିଲେନି ସେବାୟତ ଓ କିଛି ଶ୍ରଦ୍ଧାଳୁ । ଧାଡି ଦର୍ଶନକୁ ବିରୋଧ କରିବା ସହ ବଡଦାଣ୍ଡରେ ନିଆଁ ଜାଳିଲେ । ଭକ୍ତ ମାନେ ଏତେ ଉଗ୍ର ହୋଇଯାଇଥିଲେ ଯେ, ଶ୍ରୀମନ୍ଦିର ସାମଗ୍ରୀ ଲୁଟ୍ କରିବାକୁ ମଧ୍ୟ ପଛାଇନଥିଲେ ।

ଏହାପରେ ଆସିଲା ସୁନ୍ଦରୀ ପାଳି । ବାଘ ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା । ସୁନ୍ଦରୀକୁ ନେଇ ବେଶ ଖୁସିଥିଲା ବନିବିଭାଗ । କିନ୍ତୁ ଏଠାରେ ମଧ୍ୟ ସୁନ୍ଦରୀକୁ ନେଇ ଶୁଭିଲା ନା’ । କାରଣ ସୁନ୍ଦରୀ ମଣିଷ ମାରିଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ । ଆଉ ଏହାପରେ ସୁନ୍ଦରୀକୁ ସାତକୋଶିଆରୁ ନେବା ପାଇଁ ଆରମ୍ଭ ହୋଇଛି ଅପରେସନ ।

ଏସବୁ ଭିତରେ ରାଜ୍ୟ ସରକାର ରାଜଧାନୀ ସମେତ ଅନ୍ୟ ୫ଟି ସ୍ଥାନରେ ପଲିଥିନକୁ ନା’ କରିଛନ୍ତି । ପରିବେଶ ପ୍ରଦୂଷଣର କାରକ ପାଲଟିଥିବା ପଲିଥିନ ଉପରେ ରାଜ୍ୟ ସରକାର ବ୍ୟାନ ଲଗାଇବା ପରେ ଜନସାଧାରଣ ମାନଙ୍କୁ ଏହାକୁ ବ୍ୟବହାର ନ କରିବାକୁ ମନା କରିଥିଲେ । ଆଉ ରାଜ୍ୟ ସରକାରଙ୍କ ଏଭଳି ରାୟକୁ ସାଧାରଣ ଲୋକେ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

ଆଗକୁ ଆସୁଛି ଦୀପାବଳି । କିନ୍ତୁ ଚଳିତ ଦୀପାବଳି ପୂର୍ବ ବର୍ଷ ଗୁଡିକ ଠାରୁ ଭିନ୍ନ ହେବାକୁ ଯାଉଛି । କାରଣ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅତ୍ୟଧିକ ବାଣ ଫୁଟାକୁ ନା’ କହିଛନ୍ତି । ଏପରିକି ଯେପରି ସାଧାରଣ ଲୋକେ ଯେପରି ଅତ୍ୟଧିକ ବାଣ ଫୁଟାଇ  ନ ପାରିବେ ସେଥିପାଇଁ ସୁପ୍ରିମକୋର୍ଟ ବାଣଫୁଟାଇବା ପାଇଁ ୨ ଘଣ୍ଟାର ଡେଡଲାଇନ ମଧ୍ୟ ଦେଇଛନ୍ତି । ଆଉ ଏହାପରେ ବାଣ ଫୁଟାଇଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସେତେବେଳେ ଯେତେ ନା’ ନା’ କହିଲେ ମଧ୍ୟ କେହି ଶୁଣିବାକୁ ନଥିବେ । ଆଉ ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ନେଇ ସାଧାରଣ ଲୋକ ମଧ୍ୟ ଖୁସି ଅଛନ୍ତି ।

ଏ ତ ଥିଲା ପୂର୍ବର କଥା । କିନ୍ତୁ ଆଜି ନା’ ରାଡାରରେ ଆସିଛନ୍ତି ଉଭୟ ଚାଷୀ ଓ ନେତା । ଚାଷୀ ମାନେ ଯେତେବେଳେ ପ୍ରାଇସ,ପେନସନ ଓ ପ୍ରେଷ୍ଟିଜ ଦାବିରେ ରାଜଧାନୀ ଆଡକୁ ମୁହାଁଉଥିଲେ ଠିକ୍ ସେତିକି ବେଳେ ଏମାନଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ମନା କରିଥିଲା । କିନ୍ତୁ ଚାଷୀ ମାନେ ଯେତେବେଳେ ହକ୍ ପାଇଁ ଜବରଦସ୍ତ ରାଜଧାନୀ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ସେତେବେଳେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ଆଉ ଏହାର ପ୍ରତିବାଦରେ ଚାଷୀ ମାନେ ମଧ୍ୟ ନେତା ମାନଙ୍କୁ ଦେଇଛନ୍ତି କଡା ଜବାବ । ଯଦି ଭୁବନେଶ୍ୱରକୁ ଚାଷୀ ପଶି ପାରିବେନି ତେବେ ଗାଁ ମଧ୍ୟକୁ ନେତା ପଶିପାରିବେନି ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚାଷୀ । ରାଜ୍ୟ ରାଜନୀତିରେ ଏଭଳି ଗରମାଗରମ ପରିସ୍ଥିତିରେ ଏବେ ହଁ କମ ନା ବେଶୀ ଶୁଣିବାକୁ ମିଳୁଛି ।