ଅଭିନନ୍ଦନଙ୍କୁ ଅଭିନନ୍ଦନ ପାଇଁ ବଢୁଛି ଉତ୍କଣ୍ଠା ! ସାରା ଦେଶରେ ଉତ୍ସବର ମାହୋଲ, ସ୍ୱାଗତ ପାଇଁ ସକାଳୁ ଲାଗି ରହିଛି ଅସମ୍ଭବ ଭିଡ଼ ।

142

କନକ ବ୍ୟୁରୋ : ସକାଳ ୭ରୁ ସନ୍ଧ୍ୟା ୭ । ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇବାକୁ ୧୨ ଘଂଟାର ଅପେକ୍ଷା । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତକୁ ଫେରାଇବା ନେଇ ଗତକାଲି ପାକିସ୍ତାନ ଘୋଷଣା କରିବା ପରେ ସମସ୍ତଙ୍କ ନଜର ଚାହିଁରହିଛି ବୀର ଯବାନଙ୍କ ଫେରିବା ବାଟକୁ । ଏଥିପାଇଁ ଭାରତ-ପାକ୍ ସୀମା ୱାଘା ବର୍ଡରରେ ସକାଳୁ ସକାଳୁ ଜମିଥିଲା ଗଣମାଧ୍ୟମ ଏବଂ ଲୋକଙ୍କ ଭିଡ । 

ସମୟ – ସକାଳ ପ୍ରାୟ ୭ଟା । ସ୍ଥାନ- ୱାଘା ବର୍ଡର । ରାତିର ଅନ୍ଧାର ପୁରା ହଟିନଥିଲା । ସୂର୍ଯ୍ୟ ଉଇଁବାକୁ ସମୟ ଥିଲା । ହେଲେ ଭାରତ-ପାକ୍ ସୀମାରେ ଆରମ୍ଭ ହୋଇଯାଇଥିଲା ଭିଡ । ସବୁଠୁ ବଡ କଭରେଜ୍ ପାଇଁ ପହଁଚିଯାଇଥିଲେ ଗଣମାଧ୍ୟମ ପ୍ରତିନିଧି । ବୀର ଯବାନଙ୍କୁ ସ୍ୱାଗତ କରିବାକୁ ୱାଘା ସୀମାକୁ ଛୁଟିଥିଲା ଶହ ଶହ ଲୋକଙ୍କ ଭିଡ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ କେତେବେଳେ ଛାଡିବ ଏବଂ କେଉଁ ସମୟରେ ଅଭିନନ୍ଦନ ଭାରତରେ ପହଁଚିବେ, କିଛି ବି ସ୍ପଷ୍ଟ ହୋଇନଥିଲା । କାହାକୁ ନିର୍ଦ୍ଦିଷ୍ଟ ସମୟ ଜଣାନଥିଲା ତଥାପି ସକାଳୁ ସକାଳୁ ଜନସମୁଦ୍ର ପାଲଟିଯାଇଥିଲା ୱାଘା ବର୍ଡର  ।

ଶତ୍ରୁ ଦେଶ କବଳରେ ଥାଇ ମଧ୍ୟ ଅଦମ୍ୟ ସାହାସ ଦେଖାଇଥିବା ଅଭିନନ୍ଦନଙ୍କୁ, ଅଭିନନ୍ଦନ ଜଣାଇବାକୁ ଆପେ ଆପେ ଛୁଟିଆସିଥିଲେ ଜନତା । ଇସଲାମାବାଦରେ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ପ୍ରକ୍ରିୟା ଚାଲିଥିଲା, ଆଉ ଏପଟେ ଅଭିନନ୍ଦନଙ୍କ ବାଟ ଚାହିଁ ବସିଥିଲେ କୋଟି କୋଟି ଭାରତ ବାସୀ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ପାକ୍ ମାଟିରେ ଭାରତର ପ୍ରତିଆକ୍ରମଣ ପରେ, ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ କବଜାରେ ରହିବା, ଭାରତ-ପାକ୍ ମଧ୍ୟରେ ଅଶାନ୍ତିକୁ ବଢାଇଦେଇଥିଲା ଆଉ ତାସହ ବଢିଚାଲିଥିଲା ଯୁଦ୍ଧ ଆଶଙ୍କା । ଆନ୍ତର୍ଜାତୀୟ ଚାପରେ ଶେଷରେ ମୁଣ୍ଡ ନୁଆଁଇଛି ପାକିସ୍ତାନ । ବାଧ୍ୟ ହୋଇଛି ଅଭିନନ୍ଦନଙ୍କୁ ଛାଡିବାକୁ । ହେଲେ ପାରମ୍ପାରିକ ଶତ୍ରୁ, ପାକିସ୍ତାନ କବଜାରେ ଥାଇ ମଧ୍ୟ ସାହାସ ଦେଖାଇଛନ୍ତି ଭାରତୀୟ ସାହାସୀ ଯବାନ ଅଭିନନ୍ଦନ ବର୍ତମାନ ।