ପ୍ରବଳ ଥଣ୍ଡାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ! ଆମେରିକାର ହ୍ରଦରେ ଶୀତଳଧୁଆଁର ରୂପ ନେଲା ବରଫକଣା, ବରଫ ପାଲଟିଲା ଅଣ୍ଡାର କେଶର ।

219

କନକ ବ୍ୟୁରୋ : ଆମେରିକାରେ ରେକର୍ଡ ଭାଂଗିଲା ବରଫପାତ । ଅଧିକାଂଶ ରାଜ୍ୟରେ ବରଫପାତ ଜାରି ଥିବାବେଳେ ତାପମାତ୍ରା ତଳକୁ ଖସିବାରେ ଲାଗିଛି  । ବରଫପାତର ପ୍ରଭାବ ଜନ ଜୀବନ ଉପରେ ପଡ଼ିଛି ଓ କିଛି ସ୍ଥାନରେ ବିମାନ ତଥା ରେଳ ଚଳାଚଳ ଉପରେ ରୋକ୍ ଲଗାଯାଇଛି  । ପ୍ରବଳ ଶୀତ ଯୋଗୁ ମିଚିଗାନ୍ ହ୍ରଦରେ ବରଫଝଡ଼ ଉପରକୁ ଉଠୁଥିବାର ଦେଖିବାକୁ ମିଳିଛି  । ଏପରିକି ଅଣ୍ଡା କେଶର ବି ବରଫ ପାଲଟିବା ନଜର ଆସିଛି  ।

ହ୍ରଦରୁ ଉଠିଲା ବରଫଝଡ଼ । ଆମେରିକାରେ ଜାରି ପ୍ରବଳ ଶୀତ । ପ୍ରବଳ ଶୀତ ଯୋଗୁ ଆମେରିକା ମିଚିଗାନ୍ ହ୍ରଦର ପାଣିଉପରୁ ବରଫକଣା ଧୁଆଁ ରୂପ ଧାରଣ କରିଛନ୍ତି । ସମ୍ପୂର୍ଣ୍ଣ ହ୍ରଦରୁ ଏଭଳି ବରଫଧୁଆଁ ଦେଖିବାକୁ ମିଳିଥିବା ବେଳେ ଉପକୂଳ ବରଫାବୃତ ହୋଇରହିଛି । ସୂର୍ଯ୍ୟାଲୋକର ପ୍ରଭାବ ମଧ୍ୟ ହ୍ରଦ ପାଣିଉପରେ ପଡ଼ିବା ଦେଖିବାକୁ ମିଳୁନାହିଁ, ଏଥିରୁ ସହଜରେ କୁହାଯାଇପାରେ ଥଣ୍ଡାରେ ଥରୁଛି ଆମେରିକା  ।

– ଶୀତ ଯୋଗୁ ଆମେରିକାରେ ୧୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି  ।

– ମିଚିଗାନ୍, ୱିସକନସିନ୍ ଓ ଇଲିନୟରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି  ।

– ସିକାଗୋରେ ବ୍ୟାଙ୍କ, ଡାକ, ରେଳ ଓ ବିମାନସେବା ବନ୍ଦ ରହିଛି  ।

ଆମେରିକାର ମିନିସୋଟା ଅଂଚଳରେ ଜଣେ ବ୍ୟକ୍ତି ଅଣ୍ଡାକୁ ବ୍ରେଡ୍ ଉପରେ ରଖି ଦେଖାଇବାକୁ ଚେଷ୍ଟା କରିଥିଲେ ଯେ, ଆମେରିକାରେ କିଭଳି ପଡ଼ିଛି ଶୀତ  । କିଛି ସମୟ ମଧ୍ୟରେ ଅଣ୍ଡାର କେଶର ମଧ୍ୟ ବରଫ ପାଲଟି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତାୱା ଉପରେ ରଖିଲେ ବି ପ୍ରବଳ ଥଣ୍ଡା ଯୋଗୁ ବରଫ ପାଲଟିଯାଉଛି ଅଣ୍ଡା  ।

ଦେଖିବା ବିଭିନ୍ନ ଅଂଚଳର ତାପମାତ୍ରା (ସେଲସିୟସରେ)

ସିକାଗୋ – ମାଇନସ୍ ୩୨ ଡିଗ୍ରୀ

ମିଡୱେଷ୍ଟ – ମାଇନସ୍ ୧୯ ଡିଗ୍ରୀ

ବ୍ରିମର୍ – ମାଇନସ୍ ୧୪ ଡିଗ୍ରୀ

ମିଚିଗାନ୍ – ମାଇନସ୍ ୨୫ ଡିଗ୍ରୀ

ପାରଦ ତଳକୁ ଖସିବା ଯୋଗୁ ସୁପରପାୱାର ଆମେରିକା ଶୀତ ସାମ୍ନାରେ ଅତି ଅସହାୟ ହୋଇ ପଡ଼ିଛି । ଏହାର କିଭଳି ମୁକାବିଲା କରିବ ସାଧାରଣ ମଣିଷ ତାକୁ ନେଇ ଏବେ ଚିନ୍ତା  । ଗଛଲତା ପାହାଡ଼ ଓ ଜନବସତି ବରଫାଚ୍ଛନ୍ନ ହୋଇଥିବା ବେଳେ ଜୀବନ ଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି  । ରାସ୍ତାରେ ବରଫ ଜମିରହିବା କାରଣରୁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି  । ଅନେକ ସ୍ଥାନରେ ରେଳ ଓ ବିମାନ ଚଳାଚଳ ଉପରେ ମଧ୍ୟ ରୋକ୍ ଲାଗି ଯାଇଛି  ।

ଆଂଟାର୍କଟିକା ଅବବାହିକାରେ ଲଘୁଚାପ ଯୋଗୁ ଆମେରିକା ଆଡ଼କୁ ଶୀତଳବାୟୁ ଅଧିକ ପ୍ରବାହିତ ହେଉଛି  । ଏହି କାରଣରୁ ଆମେରିକାରେ ପ୍ରବଳ ବରଫପାତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି  । ସେପଟେ ଲୋକଙ୍କୁ ଘରୁ ନବାହାରିବାକୁ ଓ ଯଥେଷ୍ଟ ଶୀତବସ୍ତ୍ର ପିନ୍ଧିବାକୁ ପ୍ରଶାସନ ପରାମର୍ଶ ଦେଇଛି  । ଅନ୍ୟ ପଟେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ସ୍ଥାନୀୟ ଲୋକଙ୍କ ବଢ଼ିଯାଇଛି ଚିନ୍ତା  । ସମସ୍ତଙ୍କ ଅପେକ୍ଷା ଶୀତରୁ କିଭଳି ମିଳିବ ମୁକ୍ତି  ।