ଜାଡ଼ରେ ଥରୁଛି ଅଭ୍ୟନ୍ତରୀଣ ଓଡ଼ିଶା  ! ୩ ଡିଗ୍ରି ତଳକୁ ଖସିଲା ପାରଦ

39

କନକ ବ୍ୟୁରୋ: ଜାଡ଼ରେ ଥରୁଛି ଅଭ୍ୟନ୍ତରୀଣ ଓଡ଼ିଶା। ଲଗାତାର ତୃତୀୟ ଦିନ ପାଇଁ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରେକର୍ଡ ହୋଇଛି । ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦୁଇରୁ ତିନୋଟି ସ୍ଥାନରେ ହାଲକା ତୁଷାରପାତ ବି ହୋଇଥିବା ଜଣାପଡ଼ିଛି । ସେହିପରି କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବା ସୂଚନା ମିଳିଛି ।

 

 

ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ଥଣ୍ଡା ଲାଗିରହିବ। ଧୀରେ ଧୀରେ କେତେକ ସହରର ତାପମାତ୍ରା ବଢ଼ିବ । ପ୍ରଥମେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଇବ । କିନ୍ତୁ ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ । ଗାଡ଼ି ଚାଳକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

 

 

ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇ ୬.୫ ଡିଗ୍ରିରେ ପହଞ୍ଚିଛି । ଅନୁଗୁଳରେ ୮.୬ ଡିଗ୍ରି, ଝାରସୁଗୁଡ଼ାରେ ୯.୨, ସୁନ୍ଦରଗଡ଼ରେ ୭, କେନ୍ଦୁଝରଗଡ଼ରେ ୭.୬, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୯, ହୀରାକୁଦରେ ୮.୬, କୋରାପୁଟରେ ୯.୮ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ହ୍ରାସ ପାଇ ୧୧.୫ରେ ପହଞ୍ଚିଛି । କଟକରେ ତାପମାତ୍ରା ୧୦.୬ ରହିଥିଲା ।