ବରଫ ପାଲଟିଲା ଡାଲ୍ ହ୍ରଦର ପାଣି ! ଜାମ୍ମୁ କାଶ୍ମୀର ସମେତ ଉତ୍ତର ଭାରତରେ ଭୟଙ୍କର ଶୀତ, ଆହୁରି କମିବ ତାପମାତ୍ରା ।

219

କନକ ବ୍ୟୁରୋ :  ଥରୁଛି ଉତ୍ତର ଭାରତ । ୟୁପି, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ଓ କାଶ୍ମୀରରେ ଭୟଙ୍କର ଶୀତ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ବରଫପାତର ଖବର ରହିଛି । ଆଗକୁ ଆଉ କିଛି ଦିନ ଶୀତ ଲାଗିରହିବା ପୂର୍ବାନୁମାନ ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ସେପଟେ କାଶ୍ମୀରର ଡାଲ୍ ହ୍ରଦରେ ପାଣି ବରଫ ପାଲଟିଥିବା ଦେଖିବାକୁ ମିଳିଛି । ଉତ୍ତର ଭାରତରେ ଖେଳିଯାଇଛି ଶୀତଲହରି  ।

ବରଫ ପାଲଟିଲା ଡାଲ୍ ହ୍ରଦର ପାଣି । ଜାମ୍ମୁ କାଶ୍ମୀରରେ ଭୟଙ୍କର ଶୀତ । ଆପଣ ଦେଖୁଛନ୍ତି ଜାମ୍ମୁ କାଶ୍ମୀରର ଡାଲ୍ ହ୍ରଦର ଦୃଶ୍ୟ  । ଭୟଙ୍କର ଶୀତରେ ବରଫ ପାଲଟିଛି ହ୍ରଦର ପାଣି  । ହ୍ରଦର ଉପରିଭାଗରେ ବରଫର ମୋଟା ଆସ୍ତରଣ ଜମିବା ଦେଖିବାକୁ ମିଳିଛି  । ଭୟଙ୍କର ଶୀତ କାଶ୍ମୀର ଘାଟିକୁ ଘୋଡ଼େଇ ରଖିଥିବା ବେଳେ ବରଫ ପାଲଟିଛି ଡାଲ୍ ହ୍ରଦର ପାଣି  । ପର୍ଯ୍ୟଟକଙ୍କ ପାଇଁ ଏହି ହ୍ରଦ ସବୁବେଳେ ଆକର୍ଷଣ ସୃଷ୍ଟି କରିଥାଏ ଆଉ ପ୍ରବଳଶୀତରେ ବି ଲାଗିରହିଛି ଗହଳିଚହଳି । ତେବେ ହାଉସ୍ ବୋଟ୍ ଗୁଡ଼ିକରେ ଶୀତରୁ ରକ୍ଷା ଦେବାକୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି  ।

ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ୟୁପି, ହିମାଚଳରେ ବି ପ୍ରବଳ ସର୍ଦ୍ଦି । ରାଜଧାନୀ ଦିଲ୍ଲୀ ରାମଲୀଳା ମଇଦାନ ନିକଟରେ ଥିବା ରାତ୍ରିଆଶ୍ରୟ ସ୍ଥଳୀରେ କମ୍ବଳ ଘୋଡ଼େଇ ରେନ୍ ବସେରାରେ ଲୋକ ଶୀତଦାଉରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି  । ୟୁପି କାନପୁର ରେଲୱେ ଷ୍ଟେସନର ଦୃଶ୍ୟ ମଧ୍ୟ କିଛି ଏହିଭଳି  । ନିଆଁ ଜାଳି ଶୀତରୁ ନିସ୍ତାର ପାଇବା ପାଇଁ ଯାତ୍ରୀମାନେ ପ୍ରୟାସ କରୁଛନ୍ତି  ।

ସେପଟେ ପ୍ରବଳ ଶୀତର ମୁକାବିଲା କରିବାକୁ ଚାହା ଦୋକାନରେ ଲାଗିଛି ଭିଡ଼  । ଚଳିତବର୍ଷ ଶୀତ ବିଗତ ଦିନରେ ଅଧିକାଂଶ ରେକର୍ଡ ଭାଂଗିଥିବା ବେଳେ ଆଗକୁ କଣ ହେବ ପରିସ୍ଥିତି ତାହା ଡରାଇଦେଇଛି  । ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ  । ଏଭଳି ସ୍ଥିତିରେ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଥିବା ଗୃହହୀନଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି  । ଅନ୍ୟପଟେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି  ।