ପୁଣି ବଢ଼ିବ ତାତି : ୧୮ରୁ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

41

କନକ ବ୍ୟୁରୋ : ତାତିରୁ ମିଳିଲା ଆଶ୍ୱସ୍ତି। ବୁଧବାର ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ଟିଟିଲାଗଡ଼ ତାପମାତ୍ରା ହ୍ରାସ ପାଇଛି। ତାପମାତ୍ରା ୪୦.୫ ଡିଗ୍ରୀରୁ ୩୭.୫ ଡିଗ୍ରିକୁ ଖସି ଆସିଛି। ହେଲେ ତାଳଚେରରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୩୯.୪ ଡିଗ୍ରୀ ଥିବା ବେଳେ ତାଳଚେରରେ ୩୯.୧ ଡିଗ୍ରୀ ରେକର୍ଡ ହୋଇଛି।

୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ତାଳଚେରରେ ୩୯.୧ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୩୮.୫, ଢ଼େଙ୍କାନାଳରେ ୩୭.୮, ଚାନ୍ଦବାଲି ଓ ଅନୁଗୁଳରେ ୩୭.୭, ଭୁବନେଶ୍ୱର, ମାଲକାନଗିରି ଓ ବାରିପଦାରେ ୩୭.୬, ହୀରାକୁଦରେ ୩୭.୧, ଫୁଲବାଣୀରେ ୩୭ ଡିଗ୍ରୀ ରହିଥିଲା। ରାଜ୍ୟର ସମସ୍ତ ସହରର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଥିବାରୁ ତାତିରୁ ଟିକିଏ ଆଶ୍ୱସ୍ତି ମିଳିଛି। ଅପରାହ୍ନରେ ପାଗ କୋହଲା ରହିଥିଲା।

ଆସନ୍ତା ୧୮ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସହ କାଳବୈଶାଖୀ ଆଶଙ୍କା ରହିଛି। ତାପମାତ୍ରା ୨ରୁ ୩ ଡିଗ୍ରୀ ଏପାଖସେପାଖ ରହିବ। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ। ୫୦ରୁ ୬୦ କି.ମି. ବେଗରେ ପବନ ହେବାର ବି ପୂର୍ବାନୁମାନ କରାଯାଇଛି। ୨୧ ତାରିଖଠାରୁ ପୁଣିଥରେ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।