ଅସହ୍ୟ ହେଉଛି ତାତି : ପଶ୍ଚିମ ଓଡିଶାରେ ଖରା ଅସମ୍ଭାଳ,୧୧ ସହରରେ ପାରଦ ଡେଇଁଲା ୪୦ ଡିଗ୍ରୀ

204

କନକ ବ୍ୟୁରୋ : କଲବଲ କରୁଛି ତାତି । ମେ’ ମାସ ଆସିବା ପୂର୍ବରୁ ଅସମ୍ଭାଳ ହେଲାଣି ଗ୍ରୀଷ୍ମପ୍ରବାହ । ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବିଶେଷ କରି ପଶ୍ଚିମ ଓଡିଶାରେ ତାତି ଅସମ୍ଭାଳ ହୋଇଥିଲା । ରାଜ୍ୟର ତତଲା କଡେଇ ପାଲଟିଥିଲା ଟିଟିଲାଗଡ । କାଲି ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୩ ଦଶମିକ୍ ୫ଡିଗ୍ରୀ ରହିଥିଲା । ବଲାଙ୍ଗୀର, ମାଲକାନଗିରି ଓ ଝାରସୁଗୁଡାର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ଭବାନୀପାଟଣା, ସମ୍ବଲପୁର,ହୀରାକୁଦ, ସୁନ୍ଦରଗଡ ସହରର ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିଲା । ତେବେ ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା ।

ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୪୮ ଘଂଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବଂ ୩୦ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁବାର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ବାତ୍ୟା ଦକ୍ଷିଣପୂର୍ବ ଶ୍ରୀଲଙ୍କା ଦେଇ ଭାରତ ଆଡକୁ ଗତି କରିବ । ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହି ସମୟରେ ତାମିଲନାଡୁ ସମେତ ଆନ୍ଧ୍ର ସମୁଦ୍ର ଉପକୂଳ ଅଶାନ୍ତ ରହିବ । ତେବେ ଏହି ବାତ୍ୟାରେ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଓଡିଶା ଉପକୂଳ ଗଭୀର ସମୁଦ୍ର ଅଶାନ୍ତ ରହିବ । ତେଣୁ ସେହି ସମୟରେ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି ।