ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ! ୩୫ ଡିଗ୍ରି ଉପରେ ୧୫ ସହର

29

କନକ ବ୍ୟୁରୋ : ସାରା ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦୁଇ ଦିନ ହେଲା ଟିକିଏ ଆଶ୍ୱସ୍ତି ମିଳିଥିବା ବେଳେ ଆଜି ପୁଣିଥରେ ବଢ଼ିଛି ତାତି । ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ବେଳେ ସୋନପୁର ପୁଣିଥରେ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ଏଠାରେ ଆଜି ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ମାଲକାନଗିରିରେ ୩୭.୬, ତାଳଚେରରେ ୩୭.୪, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୩୭ ଡିଗ୍ରି ରହିଥିଲା । ତେବେ ଭୁବନେଶ୍ୱର, କଟକ, ବାଲେଶ୍ୱର ସହରରେ ତାପମାତ୍ରା ୩୫ ଡିଗ୍ରି ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ । ୨ରୁ ୩ ଡିଗ୍ରି ମଧ୍ୟରେ ଏପାଖ ସେପାଖ ରହିପାରେ । ମାର୍ଚ୍ଚ ୧୫ ଓ ୧୬ ତାରିଖ ଅପରାହ୍ନରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାଯୋଗ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ସମସ୍ତ ସ୍କୁଲ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୦ଟା ୩୦ ସୁଦ୍ଧା ଶେଷ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ସ୍କୁଲ ଗୁଡିକ ଦିନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦେବା ପାଇଁ କୁହାଯାଇଛି । ଏହା ସହ ସ୍କୁଲଗୁଡିକ ପରୀକ୍ଷା ଆସନ୍ତା ୩୧ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଶିକ୍ଷାବର୍ଷ ୨୦୧୮-୧୯ ଏପ୍ରିଲ ୩ରେ ଆରମ୍ଭ ହେଉଥିବା ବେଳେ ୨ ତାରିଖକୁ ପ୍ରବେଶ ଦିବସ ଭାବେ ପାଳନ କରିବାକୁ କୁହାଯାଇଛି । ପରୀକ୍ଷା ଶେଷ ହେବା ପରେ ଶିକ୍ଷକମାନେ ପିଲାମାନଙ୍କ ସହିତ ପାଠ୍ୟ ଖସଡ଼ା ଉପରେ ପୁଣି ଥରେ ଆଲୋଚନା କରିବେ। ଏହାସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପିଲାଙ୍କୁ ପାଣି ବୋତଲ ଓ ଛତା ଆଣିବାକୁ ପରାମର୍ଶ ଦେବାକୁ ସରକାରଙ୍କ ଚିଠିରେ ଉଲ୍ଲେଖ ରହିଛି । ବିଦ୍ୟାଳୟରେ ଗ୍ରୀଷ୍ମ ସମୟରେ ଶାରୀରିକ ପ୍ରଶିକ୍ଷଣ ପିଲାମାନଙ୍କର ଇଚ୍ଛାଧୀନ ରହିବ। ଆସନ୍ତା ମେ ୪ ତାରିଖରୁ ସ୍କୁଲ ଗୁଡିକର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।