ବସନ୍ତରେ ଅଗ୍ନିବର୍ଷା ! ଚାରିଆଡେ ଡହ ଡହ ତାତି, ୩୫ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର

55

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ପାରଦର ସ୍ତର । ଆଜି ଟିଟିଲାଗଡରେ ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ୧୦ରୁ ଅଧିକ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ତାପମାତ୍ରା ରାଜଧାନୀରେ ରେକର୍ଡ ଭଙ୍ଗା ତାତି । ମାର୍ଚ ମାସର ପ୍ରଥମ ସପ୍ତାହରେ ଅନୁଭୂତ ହେଉଥିବା ତାପମାତ୍ରା ଗତ ୧୦ ବର୍ଷରେ ସବୁଠାରୁ ଅଧିକ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଦିନକୁ ଦିନ ବଢୁଥିବା ତାତି ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡତାର ଆଭାସ ଦେଉଛି ।

ରାଜ୍ୟରେ ବଢୁଛି ତାପମାତ୍ରା । ବଢି ବଢି ଚାଲିଛି ପାରଦର ସ୍ତର । ଟିଟିଲାଗଡରେ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ପାରଦ ୩୯.୧ ଡିଗ୍ରୀ ଛୁଇଁଛି । ସେହିପରି ତାଲଚେରରେ ୩୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ଭୁବନେଶ୍ୱରରେ ୩୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ୧୧ଟି ଷ୍ଟେସନରେ ତାପମାତ୍ରା ୩୫ ଡିଗ୍ରୀ ରୁ ଅଧିକ ରହିଛି । ଆଗକୁ ମଧ୍ୟ ତାତି ବଢିବାର ସମ୍ଭାବନା ରହିଛି । ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ହେଉ ହେଉ ରାଜଧାନୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି । ଏହି ତାତି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଆଗକୁ ଏହା ଅସହ୍ୟ ହେବା ସମ୍ଭାବନା ରହିଛି ।

ରେକର୍ଡ ଭାଙ୍ଗିଛି ରାଜଧାନୀର ତାତି । ଅସହ୍ୟ ହେଲାଣି ମାର୍ଚ୍ଚ ପ୍ରଥମ ସପ୍ତାହର ତାପମାତ୍ରା । ଗତ ୧୦ ବର୍ଷର ତାପମାତ୍ରାର ରେକର୍ଡ ଭାଙ୍ଗିଛି ଭୁବନେଶ୍ୱରର ତାତି । ମାର୍ଚ୍ଚ ମାସର ସର୍ବାଧିକ ତାପମାତ୍ରାକୁ ନଜର ପକାଇଲେ ଏହା ସହଜରେ ବୁଝି ହେଇଯାଉଛି । ପାଣିପାଗ ବିଭାଗ ଅନୁସାରେ ୨୦୧୭ ମାର୍ଚ୍ଚ ୨୪ରେ ତାପମାତ୍ରା ୩୯.୩ ଡିଗ୍ରୀ ଥିଲା । ସେହିପରି ମାର୍ଚ୍ଚ ୨୧, ୨୦୧୬ରେ ଏହା ୪୨.୨ ଡିଗ୍ରୀ ରହିଥିଲା । ମାର୍ଚ୍ଚ ୧୫, ୨୦୧୫ରେ ଭୁବନେଶ୍ୱରର ତାପମାତ୍ରା ୩୮.୮ ରେକର୍ଡ କରାଯାଇଥିଲା । ସେହିପରି ମାର୍ଚ୍ଚ ୩୦, ୨୦୧୪ରେ ଏହି ତାପମାତ୍ରା ୪୨ଡିଗ୍ରୀ ରହିଥିଲା । କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ତାପମାତ୍ରା ୩୯ ଡିଗ୍ରୀ ଟପିଛି ।